• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ବିଶାଳ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବିଧାନସଭା ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଚଳ ରହିଛି । ଏହି ପ୍ରସଙ୍ଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ।

ବାଚସ୍ପତି ବିକ୍ରମ ଆରୁଖଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ନିଜ ଆସନକୁ ନଯିବାରୁ ଶେଷରେ ବାଚସ୍ପତି ଦିନ ୧୧ଟା ୩୦ ଓ ପରେ ୧୧ଟା ୪୫ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ଶିକ୍ଷକ ଆନ୍ଦୋଳନ ଚାଲିଥିବାବେଳେ ଗଣଶିକ୍ଷାମନ୍ତ୍ରୀ କାହିଁକି ଅନୁପସ୍ଥିତ ଅଛନ୍ତି ଓ ତାଙ୍କୁ ପଦ୍ମପୁର କିଏ ପଠାଇଲା ବୋଲି ବିଜେପି ପ୍ରଶ୍ନ କରିଥିଲା ।

ସେହିପରି କଂଗ୍ରେସ କହିଛି ରାଜ୍ୟ ସରକାରଙ୍କର ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତି ଆଦୌ ଭୃକ୍ଷେପ ନାହିଁ । ତେଣେ ବିଜେଡି କହିଛି-ଉପନିର୍ବାଚନବେଳେ ବିରୋଧୀ ପ୍ରସଙ୍ଗକୁ ଧରି ଅତିରଞ୍ଜିତ କରୁଛନ୍ତି ।

ଅନ୍ୟପଟେ ୩ ଦଫା ଦାବି ପୂରଣ ଦାବିରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ଚାଲିଛି ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଛନ୍ତି ।