• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ହୀରାକୁଦର ୪ ଗେଟ୍‌ ବନ୍ଦ

  • ମୁଣ୍ଡଳିରେ ମହାନଦୀର ପାଣି ସ୍ଥିର

କଟକ: ମହାନଦୀରେ ପାଣି ବଢିବା ପରେ ତଳିଆ ଅଂଚଳରେ ଲୋକଙ୍କ ମନରେ ଛନକା ପଶିଛି । ନରାଜରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଥିବାବେଳେ ମୁଣ୍ଡଳିରେ ବଢୁଛି ମହାନଦୀ । ସେପଟେ ମହାନଦୀର ଉପରମୁଣ୍ଡରେ ବର୍ଷା ହେଉ ନଥିବାରୁ ଗତକାଲି ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୨୪ଟି ଗେଟରେ ଜଳ ନିଷ୍କାସନ ହେଉଛି । ସେପଟେ ବନ୍ୟା ଆଶଙ୍କା ଥିବା କେନ୍ଦ୍ରାପଡ଼ା, ପୁରୀ ସମେତ ୬ ଜିଲ୍ଲାରେ ପ୍ରଶାସନ ସତର୍କ ରହିଛି ।

ତେବେ ମହାନଦୀରେ ଜଳସ୍ତର କମିଛି କିନ୍ତୁ ସୁବର୍ଣ୍ଣରେଖା ଓ ଜଳକାରେ ବଢ଼ୁଛି ପାଣି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଫଳରେ ତଳ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗା ବ୍ୟବହାର କରୁଛନ୍ତି । ଲୋକଙ୍କ ଘରେ ଭିତରେ ଅଣ୍ଟାଏ ଉଚ୍ଚର ପାଣି ଜମିଛି। ଉଦ୍ଧାର କରିବାକୁ କେହି ନଥିବାରୁ ନିଜ ନିଜ ପ୍ରୟାସରେ ଡଙ୍ଗା ଧରି ବାହାରିଛନ୍ତି ଲୋକେ। ସୁବର୍ଣ୍ଣରେଖାରେ ବନ୍ୟାପାଣି ଆସିବା ପରେ ବହୁ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି ।

ଏପଟେ, ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ଆଜି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଜି ପାଇଁ ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ସହ କେତେକ ସ୍ଥାନରେ ପାଣିପାଗ ବିଭାଗ ପ୍ରବଳ ବର୍ଷାର ଅନୁମାନ କରିଥିବା କୁହାଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now