• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତା ନୁହେଁ ତ ଗାଈ ଗୁହାଳ । ହେଲେ ଇଏ ଗୁହାଳ ନୁହେଁ ବରଂ ରାସ୍ତାର । ହଁ...ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ସେ ରାସ୍ତା ହେଉଛି ଦକ୍ଷିଣକାଳୀ ରୋଡ୍‌ର । ଯାହା ଏବେ ଗାଈଗୋରୁ ଓ ବୁଲା ଷଣ୍ଢଙ୍କ କବଜାରେ ରହିଛି । ଆଉ ଯିଏ ଏହି ରାସ୍ତାରେ ଯାଉଛନ୍ତି ସେମାନଙ୍କ ଜୀବନ ପ୍ରତି ରହିଛି ବିପଦ । କାରଣ କେତେବେଳେ ଦୁର୍ଘଟଣା ଘଟିବ ତାହା କାହାକୁ ବି ଜଣାନାହିଁ ।

ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରାସ୍ତା ଥିବାରୁ ସକାଳୁ ସଂଜ ଯାଏଁ ଶହଶହ ଗାଡି, ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯିବାଆସିବା କରୁଛନ୍ତି । ହେଲେ ରାସ୍ତା ଉପରେ ଗାଈ-ଗୋରୁ ଏମିତି ଭାବରେ ରହୁଛନ୍ତି କେତେବେଳେ ବି ଘଟିପାରେ ଦୁର୍ଘଟଣା । ଏମିତିକି ରାସ୍ତା ଜାମ ହେବାର ବି ନଜିର ରହିଛି । ରାସ୍ତାରୁ ଗାଈ-ଗୋରୁଙ୍କ ଉଠାଇବାକୁ ପୌର ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ସମସ୍ୟାର ହୋଇନି ସମାଧାନ ।

ସ୍ଥିତି ଏମିତି ହେଲାଣି ଯେ ରାସ୍ତାରେ ଯିବା ଆସିବା ବେଳେ ଗାଡିରୁ ଓହ୍ଲାଇ ପ୍ରଥମେ ଗାଈ-ଗୋରୁଙ୍କୁ ସାଇଡ୍‌ କରିବା ପରେ ହିଁ ଆଗକୁ ବଢୁଛି ଗାଡି । ଚାରି ଚକିଆ କଥା ଛାଡନ୍ତୁ...ଦୁଇ ଚକିଆ ଗାଡି ଯିବା ନେଇ କାଠିକର ପାଠ ହେଉଛି । ଗାଈଗୋରୁଙ୍କୁ ରାସ୍ତାରୁ ହଟାଇବାକୁ ପୌର ପ୍ରଶାସନ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ସତ ହେଲେ ସ୍ଥିତିରେ କୌଣସି ସୁଧାର ଆସିନଥିବା ଅଭିଯୋଗ ହୋଇଛି ।

 

ପୂର୍ବରୁ ଟାଉନହଲ ପାଖରେ ବୁଲା ଗାଈ-ଗୋରୁଙ୍କ ଉଦ୍ଧାର କେନ୍ଦ୍ର ରହିଥିଲା । ସହର ଯାକର ବୁଲା ଗୋରୁଙ୍କୁ ଉଦ୍ଧାର କରି କାଞ୍ଜିଆହୁଦାରେ ଛଡା ଯାଉଥିଲା । ଏବେ କିନ୍ତୁ ସେଠାରେ ରେଲିଂ ଲଗାଇ ଦିଆଯାଇଥିବାରୁ ଆଉ ଉଦ୍ଧାର ହୋଇପାରୁନାହାନ୍ତି ବୁଲା ଗାଈ-ଗୋରୁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ସେପଟେ ପୁରା ଘଟଣାରେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ସହରର ଦୁଇଟି ନୂଆ ସ୍ଥାନରେ ଗାଈଗୋରୁଙ୍କ ଉଦ୍ଧାର କେନ୍ଦ୍ର ନିର୍ମାଣ କରାଯିବ । ଏବଂ ଯେଉଁ ମାଲିକମାନେ ରାସ୍ତା ଉପରେ ଗାଈ ଛାଡୁଛନ୍ତି ସେମାନଙ୍କଠାରୁ ଫାଇନ୍‌ ଆଦାୟ ହେବ ।

 

  • Reported by:
  • RAJASHREE SATAPATHY