/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694793828.jpg)
Teachers Protest
ଜଙ୍ଗଲ ନିଆଁ ଭଳି ବ୍ୟାପୁଛି ଶିକ୍ଷକ ଆନ୍ଦୋଳନ । ଥମିବାର ନାଁ ଧରୁନି, ହେଲେ ସରକାର ଚୁପ୍ ରହିଛନ୍ତି । ସ୍କୁଲରେ ତାଲା, ପାଠ ପଢା ଠପ୍ । ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ସାର୍ ଦିଦି ନାହାନ୍ତି । ଶେଷରେ ପିଲାଙ୍କୁ କେଉଁଠି ଅଭିଭାବକ ତ ଆଉ କେଉଁଠି ବଡ ଶ୍ରେଣୀର ଛାତ୍ରଛାତ୍ରୀ ପଢାଇଲେଣି । ଭଦ୍ରକ ବାପୁଜୀ ସରକାରୀ ନୋଡାଲ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଉପର ଶ୍ରେଣୀ ପିଲା । ଆଉ ମୋହନା ସାନଖଣି ପ୍ରାଥମିକ ବିଦ୍ୟାଳୟ କ୍ଲାସ୍ ରୁମରେ ତାଲା ପଡ଼ିଛି । ବାହାରେ ବ୍ଲାକ୍ ବୋର୍ଡ ଥିବାରୁ ବାରଣ୍ଡାରେ ପିଲାଙ୍କୁ ବସାଇ ନିଜେ ଅଭିଭାବକ ପାଠ ପଢାଉଛନ୍ତି ।
ଏପଟେ ବାରିପଦା ବିଜୟରାମଚନ୍ଦ୍ରପୁର ପ୍ରାଥମିକ ସ୍କୁଲରେ ଏକାକୀ ପଢ଼ାଉଥିବା ଶିକ୍ଷୟିତ୍ରୀ ଜଣକ ହେଲେ ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ ରଞ୍ଜିତା ସୋରେନ । କହିଛନ୍ତି ସେ ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ହେଲେ ଧାରଣାରେ ସାମିଲ ହୋଇନାହାନ୍ତି । ସ୍ଥିତି ଏପରି ଯେ, ଜୟପୁର ଉପଜିଲ୍ଲାପାଳ ପ୍ରଭାତ ପରିଡାଙ୍କୁ ବି କିଛି ସ୍କୁଲକୁ ଯାଇ ପାଠ ପଢାଇବାକୁ ପଡିଛି ।
ତେଣେ ଦାବି ନେଇ ସରକାର କୌଣସି ଘୋଷଣା କରୁନଥିବାରୁ ଶିକ୍ଷକ ମାନେ ଅଭିନବ ପ୍ରତିବାଦ କଲେଣି । ଦଶପଲ୍ଲାରେ ସଂକୀର୍ତ୍ତନ ମାଧ୍ୟମରେ ସରକାରଙ୍କୁ ଗୁହାରି କରିଛନ୍ତି । ସେହିପରି ଆସ୍କାରେ ଚକୁଳିଆ ପଣ୍ଡା ବେଶଧାରୀ ପ୍ରାଥମିକ ଶିକ୍ଷକ ବି ଗୀତରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେମିତି ଲମତାପୁଟ୍ରେ କୋରାପୁଟିଆ ଗୀତ ଗାଇ ସରକାରଙ୍କୁ ଜଣାଛନ୍ତି ଦାବି ।
ଆଜି ବି ରାଜଧାନୀରେ ଶିକ୍ଷକ ଆନ୍ଦୋଳନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କରିଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ଛାତ୍ର ସଂଗଠନ । ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଭୁବନେଶ୍ୱର ବ୍ଲକ୍ ଅଫିସ୍ ଯାଇ ଶିକ୍ଷକଙ୍କୁ ଭେଟି ସିଧା ସଳଖ ସରକାରଙ୍କୁ ନିଶାନା କରିଛନ୍ତି । ଅଭିଭାବକ ସଂଘ ବି ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟି ସମର୍ଥନ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)