• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶାଶୂଘର ଆଗରେ ଧାରଣାରେ ୨ ବୋହୂ । ଜଣେ ନୁହେଁ ଦୁଇ ଦୁଇ ଜଣଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ ନେଇ ଆଜି ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ଭଉଣୀ ଦୁଇ ଯାଆ ହୋଇଥିବା ବେଳେ ସେମାନଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଶ୍ୱଶୁରଘର ଦାଣ୍ଡ ଦୁଆରେ ଧାରଣା ଦେଇଛନ୍ତି । ସେମାନଙ୍କ ଦୁଇ ଶିଶୁକୁ କୋଳରେ ଧରି ସେମାନେ ଧାରଣାରେ ବସିଛନ୍ତି ।

ଦୁଇ ବୋହୂଙ୍କ ଅଭିଯୋଗ ଅନୁସାରେ ବିଭିନ୍ନ ସମୟରେ ଶାଶୁ ସେମାନଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ଗତ ରାତିରେ ସେମାନଙ୍କ ସ୍ୱାମୀ ସେମାନଙ୍କୁ ମାଡ ମାରିବା ସହ ଆଜି ସକାଳୁ ଶାଶୁ ସେମାନଙ୍କୁ ବାହାରକୁ ବାହାର କରିଦେଇଛନ୍ତି । ନଣନ୍ଦ କଥାରେ ପଡ଼ି ଶାଶୂ ନିର୍ଯାତନା ଦେଉଥିବା ସେମାନେ କହିଛନ୍ତି ।

ତେବେ ସବୁଠାରୁ ବଡ଼ କଥା ଗୋଟିଏ ମାଛ ପିସ୍‌ ପାଇଁ ଏହି ମହାଭାରତ ହୋଇଛି । ବଡ଼ ଭଉଣୀ ତଥା ବଡ଼ ଯାଆ ହୋଇଥିବା ରଶ୍ମି ବେହେରା ସବୁ କଥା ଗୋଟି ଗୋଟି ବଖାଣିଛନ୍ତି । ପାଞ୍ଚ ବର୍ଷ ହେଲା ବିବାହ ହୋଇଛି । ତାଙ୍କର ଝିଅଟିଏ ମଧ୍ୟ ଅଛି । ପ୍ରଥମରୁ ଶାଶୂଘର ଲୋକେ ପିଟାମରା କରି ସୁନାରୂପା ସବୁ ନେଇଗଲେ । ଏବେ ସାତ ଦିନ ତଳେ ଦଉଡ଼ିରେ ମାରିଦେବାକୁ ଚାହୁଁଥିଲେ ।

ହେଲେ ଗତକାଲି ସାନ ଭଉଣୀ ତଥା ସାନ ଯାଆର ପୁଅ ମାଛ ପିସ୍‌ ଗୋଟାଏ ଖାଇବା ପରେ ଏପରି ଝଗଡ଼ା ଆରମ୍ଭ ହୋଇଥିଲା । ନଣନ୍ଦ ପୁଅ ପାଇଁ ମାଛ ନବଳିବାରୁ ସେ ତାଣ୍ଡବ ଆରମ୍ଭ କରିଦେଇଥିଲେ । ଏଘଟଣାକୁ ନେଇ ଶାଶୂ ଘର ଲୋକେ ଉଭୟ ଭଉଣୀଙ୍କୁ ରାତିସାରା ମାଡ଼ ମାରିବା ପରେ ସକାଳ ହେବା ପରେ ଘରୁ ବାହାର କରିଦେଇଛନ୍ତି । ଘରକୁ ଆସିଲେ ଗୋଡ଼ ଭାଙ୍ଗି ହାଣଦେବୁ ବୋଲି ଧମକ ମଧ୍ୟ ଦେଉଥିବା ସେ କହିଛନ୍ତି ।

ସେହିପରି ସାନଭଉଣୀ ତଥା ସାନ ବୋହୂର କହିବା ଅନୁସାରେ ନଣନ୍ଦ ପାଇଁ ଘରେ କଳି ହେଉଛି । ଦୁଇ ଜଣ ଘରୁ ଚାଲିଯାଅ, ମୋ ଝିଅକୁ ଘରେ ରଖିବୁ ବୋଲି କହୁଛନ୍ତି । ପୂର୍ବରୁ ଦେଢ଼ ବର୍ଷ ବାପ ଘରେ ରହିଛୁ, ଆଉ ଯିବୁନି, ଏଇଠି ରହିବୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଶାଶୁ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାପା ଘରକୁ ଯିବାକୁ ନେଇ ପୁଅ ସହ କଥା କଟାକଟି ପରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି ।