• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗାଡି ଧକ୍କାରେ ଆଉ ହେବନି ହାତୀଙ୍କ ଜୀବନହାନି । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାର୍ ହେବେ ହାତୀପଲ । ଗଜରାଜଙ୍କ ସୁରକ୍ଷା ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ । ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ମେରାମଣ୍ଡଳୀ ସେକ୍ସନର ହାତୀ ପ୍ରବଣ ସ୍ଥାନ ରସାସିଂହ ଓ ହଳଦିଆବାହାଳ ନିକଟରେ ଲଗାଯାଇଛି ଏହି ସାଇରନ୍ । ଅଟୋମେଟିକ ସାଇରନ ମେସିନ୍ ହାତୀ ରାସ୍ତା ପାର୍ ହେଉଥିବା ବେଳେ ଘାଇଁ ଘାଇଁ ବାଜିବ ସାଇରନ୍, ଜଳିବ ନାଲିବତୀ । ଅଧିକାରୀଙ୍କ ମୋବାଇଲକୁ ଯିବ ଏକ ଏସ୍ଏମ୍ଏସ୍ । ତେବେ ଆସନ୍ତୁ ଜାଣିବା କ’ଣ ଏହି ନୂଆ ପାଇଲଟ ପ୍ରୋଜେକ୍ଟ...

କିପରି ବଞ୍ଚିବେ ହାତୀ ?

ଅଟୋମେଟିକ ସାଇରନ ମେସିନ୍‌ରେ ରହିଛି ସେନ୍ସର, ସାଇରନ, ରେଡ ଲାଇଟ ଓ ଚାର୍ଜିଂ ପାଇଁ ସୋଲାର ପ୍ଲେଟ । ଏହି ରାସ୍ତା ଦେଇ ହାତୀ ପଲ ପାର ହେବା ସମୟରେ ସ୍ୱୟଂଚାଳିତ ଏହି ଯନ୍ତ୍ରରେ ରେଡ୍ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ୍ ବାଜିଉଠିବ । ଏହା ୧ କିଲୋମିଟର ପର୍ଯ୍ୟନ୍ତ ଶୁଭିବା । ଏହାସହ ଅଧିକାରୀଙ୍କ ନିକଟକୁ ତୁରନ୍ତ ଏକ SMS ପଳାଇବ । ଫଳରେ ସେହି ସମୟରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଚାଳକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅଟକି ରହିବେ । ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସତର୍କ ହୋଇଯିବେ । ଯାହାଦ୍ୱାରା କେବଳ ହାତୀପଲ ଯେ ସୁରକ୍ଷିତ ରାସ୍ତା ପାର ହେବେ ତା ନୁହେଁ ସାଧାରଣ ଲୋକ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇପାରିବେ ।

ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମ କରି ଏହି ପାଇଲଟ ପ୍ରୋଜେକ୍ଟ ଲାଗୁ ହୋଇଛି । ପରିବର୍ତ୍ତନ ନାମକ ଏକ ଏନ୍‌ଜିଓ ସଂସ୍ଥା ଏବଂ ବନ ବିଭାଗର ମିଳିତ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି । ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ସଫଳ ଭାବେ କାର୍ଯ୍ୟକ୍ଷମ ହେଲେ ଆଗକୁ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ଖଞ୍ଜାଯିବ ବୋଲି କହିଛନ୍ତି ଡିଏଫ୍ଓ । ପୂର୍ବରୁ ସାଇରନ୍ ମେସିନ୍ ପ୍ରୋଜେ ଅନ୍ୟ ରାଜ୍ୟ ଗୁଡିକରେ ଆରମ୍ଭ ହୋଇଥିବା ବେଳେ ସଫଳତା ମଧ୍ୟ ମିଳିଥିବାର ଜଣାପଡିଛି ।

ତେବେ ହାତୀ-ମଣିଷ ଲଢେଇରେ କେତେବେଳେ ମଣିଷ ତ କେତେବେଳେ ହାତୀଙ୍କର ଜୀବନ ଯାଉଛି । ତେଣୁ ଏହାରି ମଧ୍ୟରେ ଗଜରାଜଙ୍କ ସୁରକ୍ଷା ପାଇଁ ଏଭଳି ଉଦ୍ୟମ ପ୍ରଶଂସା ଯୋଗ୍ୟ ।