• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯାହାଙ୍କ ପାଇଁ ଦେଶ ଗର୍ବିତ, ଜନ୍ମମାଟି ବି ପରିଚିତ । ସେଇ ସୁନା ପୁଅ ସହିଦ ସରୋଜ ଦାସଙ୍କୁ ଝୁରୁଛି ଢେଙ୍କାନାଳର କେନ୍ଦୁଢ଼ିପ ଗାଁ । ଆଜି ତାଙ୍କ ପାର୍ଥିବଶରୀର ବିମାନବନ୍ଦରରେ ପହଞ୍ଚିବାଠୁ ଜନ୍ମମାଟିର ଶ୍ମଶାନକୁ ଯିବା ଯାଏଁ, ସବୁଠି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସାଙ୍ଗକୁ ଦିଆଯାଇଛି ଲୋତକପୂର୍ଣ୍ଣ ବିଦାୟ ।

ଯାହାକୁ ଦିନେ ଘରୁ ସାଙ୍ଗରେ ଆଣି ଦେଶ ସେବା ପାଇଁ ପଠାଇଥିଲେ, ଆଜି ତାରି ମରଶରୀରକୁ ପୁଣି ଘରକୁ ଫେରାଇ ନେବାକୁ ଆସିଛନ୍ତି ଯେତେବେଳେ, ଛାତିର କୋହ ଓ ଆଖିର ଲୁହକୁ କେମିତି ବା ଚାପି ରଖିପାରନ୍ତେ ସହିଦ ସରୋଜଙ୍କ ବଡ଼ଭାଇ ମନୋଜ ଦାଶ । ଦେଶ ପାଇଁ ସରୋଜ ବୀର ପୁଅ ହୋଇପାରନ୍ତି ସତ ହେଲେ ତାଙ୍କ ପାଇଁ ତ ରକ୍ତର ଭାଇ ନା ଫୁଲ ତୋଡ଼ାଟିଏ ଧରି ସାନଭାଇକୁ ସାଲ୍ୟୁଟ୍ ଦେଲା ବେଳକୁ ବୁକୁ ଥରି ଯାଉଥିଲା ।

ପ୍ରତୀକ୍ଷାର ଅବସାନ ଘଟାଇ ଅପରାହ୍ନ ଗୋଟାଏ ୪୫ ମିନିଟ୍ ରେ ସହିଦ ସରୋଜ ଦାସଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲା । ସେଠି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲିସ କମିଶନରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ପରେ ୧୨୦ ବାଟାଲିୟନ ପକ୍ଷରୁ ମଧ୍ୟ ସାଥୀ ଯବାନଙ୍କୁ ସଲାମି ଦିଆଯାଇ ଜନ୍ମମାଟି ଅଭିମୁଖେ ଦିଆଯାଇଥିଲା ଭାବପୂର୍ଣ୍ଣ ବିଦାୟ ।

ଭୁବନେଶ୍ୱରରୁ ଭୁବନ, ଭାୟା ଢେଙ୍କାନାଳ, ସହିଦ ସରୋଜଙ୍କ ପାର୍ଥିବ ଶରୀର ଯେଉଁବାଟେ ଯାଉଥିଲା, ସବୁଠି ଶେଷଦର୍ଶନ ପାଇଁ ଏମିତି ଲୋତକପୂର୍ଣ୍ଣ ନୟନରେ ଚାହିଁଥିଲେ ଜନତା । ଶ୍ରଦ୍ଧାଞ୍ଜଳି ଜଣାଉଥିଲେ ବିଶିଷ୍ଟବ୍ୟକ୍ତି ଓ ରାଜନେତା । ଏପଟେ ଗୁମୁରି ଗୁମୁରି କାନ୍ଦୁଥିଲା ଜନ୍ମମାଟି କେନ୍ଦୁଢିପ, ହେଲେ ବୀର ପୁଅକୁ ଯେମିତି କୋଳେଇ ନେବାକୁ ଛାତି ବିସ୍ତାରି ଅପେକ୍ଷା କରିଥିଲା ସ୍ୱର୍ଗଦ୍ୱାର ସମ ଗାଁ ଶ୍ମଶାନ ।

ବାଲ୍ୟରୁ କିଶୋର-ଯେଉଁ ପଡ଼ିଆରେ ଖେଳକୁଦ କରି ଦେଶ ସେବା କରିବାର ସୁଯୋଗ ପାଇଥିଲେ ସରୋଜ, ଆଜି ସେଇ ପଡ଼ିଆରେ ପଞ୍ଚଭୂତରେ ବିଲୀନ ହେବାର ସୌଭାଗ୍ୟ ବି ପାଇଥିଲେ । ହେଲେ ଅବେଳରେ ସୁନା ପୁଅକୁ ସବୁଦିନ ପାଇଁ ହରାଇ ଯେତିକି ହତବାକ୍ କେନ୍ଦୁଢ଼ିପ ଗାଁ, ସେତିକି ନିର୍ବାକ୍ ସାଥୀ ସହୋଦର । ଆଉ ମୁଣ୍ଡ ଉପରେ ହଠାତ୍ ଖସି ପଡ଼ିଥିବା ଦୁଃଖର ବିରାଟ ପାହାଡ଼କୁ କେମିତି ବା ସାମ୍ନା କରିପାରନ୍ତେ ଅକସ୍ମାତ୍ ମୁଣ୍ଡରୁ ସିନ୍ଦୁର ଲିଭିଯାଇଥିବା ପତ୍ନୀ ଓ ପୁତ୍ରହରା ପରିବାରର ।

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା ୨୩ ଯବାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ କେନ୍ଦୁଢ଼ିପ ଗାଁର ସହିଦ ସରୋଜ ଦାସ । ମାତ୍ର ୭ମାସ ତଳେ ବିବାହ କରିଥିଲେ, ହେଲେ ଭଲ କରି ସଂସାର ଗଢ଼ିବା ଆଗରୁ ଦେଶମାତୃକାର ସେବା କରୁ କରୁ ସବୁଦିନ ପାଇଁ ହୋଇଗଲେ ଅମର ।

  • Reported by:
  • PRAVAT BISOI , SOUMYA RANJAN SAHOO , RAJASHREE SATAPATHY , Bidyadhar Baral