• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବନି ବୋଲି କହିଛନ୍ତି ହାଇକୋର୍ଟ । ଆବେଦନକାରୀ ମନୋରଞ୍ଜନ ଦାସଙ୍କ ପକ୍ଷରୁ ଦାୟର ଏକ ମାମଲାରେ ଜଷ୍ଟିସ ଆର.କେ. ପଟ୍ଟୟନାୟକ ସ୍ପଷ୍ଟ କରିଛନ୍ତି ଯେ, ଉତ୍ତମ ସମ୍ପର୍କ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଏକା କଥା ନୁହେଁ ।

ସହମତିରେ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ । ଗ୍ରହଣୀୟ ହେବନି ଦୁଷ୍କର୍ମ ଅଭିଯୋଗ । ଶାରୀରିକ ସଂପର୍କକୁ ନେଇ ଓଡ଼ିଶା ହାଇକୋର୍ଟ ଦେଇଛନ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ବନ୍ଧୁତାରୁ ବିବାହର ପ୍ରତିଶ୍ରୁତି ଦେଇ ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଦୁଷ୍କର୍ମ ବୋଲି ଧରାଯିବନି । ଯଦି ପରବର୍ତ୍ତୀ ସମୟରେ ଏ ସଂପର୍କରେ କୌଣସି ଦୁଷ୍କର୍ମ ଅଭିଯୋଗ ଆସେ, ତାହା ଗ୍ରହଣୀୟ ହେବ ନାହିଁ ।

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଦାୟର ଏକ ମାମଲାକୁ ଖାରଜ କରିବାକୁ ଆବେଦନକାରୀ ମନୋରଞ୍ଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନର ରାୟ ପ୍ରକାଶ କରି ଜଷ୍ଟିସ ଆର. କେ. ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ, ଉଭୟ ପକ୍ଷ ଉଚ୍ଚଶିକ୍ଷିତ, ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ଭବିଷ୍ୟତ ସ୍ଥିତି ନେଇ ବେଶ୍ ସଚେତନ ଥାଇ ମଧ୍ୟ ସମ୍ପର୍କରେ ଥିଲେ । ଏହି କ୍ଷେତ୍ରରେ ପୁରୁଷ ବନ୍ଧୁ କୌଣସି ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଜଣାପଡୁନାହିଁ । ତେଣୁ ତାଙ୍କ ବିରୋଧରେ ଆଇପିସିର ଦଫା ୩୭୬ ଅର୍ଥାତ୍ ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବ ନାହିଁ ।

ଆବେଦନକାରୀ ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବିବାହର ପ୍ରତିଶ୍ରୁତି ଏବଂ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ଆଉ ବିବାହ କରିବାକୁ ରାଜି ନହେବାରୁ ସଂପୃକ୍ତ ମହିଳା ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମ୍ପ୍ଲେନ କେସ ଦାୟର କରିଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ସହ
ମନୋରଞ୍ଜନ ତାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୭ ଲକ୍ଷ ଟଙ୍କା ନେଇଥିଲେ ।

ପରେ ବିବାହ କରିବା ବଦଳରେ ଧମକ ଦେବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ । ଏହା ଆଧାରରେ ୯ ଫେବ୍ରୁଆରୀ ୨୦୨୨ରେ ଆଇପିସିର ଧାରା ୪୧୭, ୪୨୦, ୩୭୬, ୩୫୪ ଏବଂ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ରଦ୍ଦ କରିବାକୁ ମନୋରଞ୍ଜନ ହାଇକୋର୍ଟ ଯାଇଥିଲେ । ଭଲ ସମ୍ପର୍କ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଏକା କଥା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

 

  • Reported by:
  • GAUTAM PANDA , ALOK MOHANTY