• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଡହ ଡହ ଖରାରେ ପାଣି ଖୋଜୁଛି ମଣିଷ। ସରକାରଙ୍କ ଜଳ ଯୋଗାଣ ଯୋଜନା ଫେଲ୍ ମାରିଥିବାର ଦେଖିବାକୁ ମିଳିଛି । ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏଭଳି କିଛି ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଇଦସାହି ଗାଁରେ ଦେଖିବାକୁ ମିଳିଛି । ଏଠାରେ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଛି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ହେଲେ ୬ମାସ ହେବ ପ୍ରକଳ୍ପ ଅଚଳ ଯୋଗୁ ପାଣି ଟୋପାଏ ପାଇଁ ଅନ୍ୟ ଗାଁ ଟ୍ୟୁବ୍‌ୱେଲ୍ ଉପରେ ର୍ନିଭର କରୁଛନ୍ତି ଗାଁ ଲୋକେ ।

ମାଳପାଟଣା ଗାଁର ଭଙ୍ଗାଦଦରା ଅବସ୍ଥାରେ ଥିବା ସୌରଚାଳିତ ପାନୀୟଜଳ ପ୍ରକଳ୍ପର ଅବସ୍ଥା କହିଲେ ନ ସରେ । ଯାହାର ସୋଲାର ବୋର୍ଡ ଭାଙ୍ଗିଯାଇଛି ଆଉ କେଉଁଠି ପମ୍ପ ଚାଲୁନାହିଁ । ଫଳରେ ୨ବର୍ଷ ହେବ ୨ଟି ଟ୍ୟୁବ୍‌ୱେଲ୍‌ରୁ ପାଣି ଟୋପାଏ ପାଇଁ ଘଣ୍ଟା ଘଣ୍ଟା ସଂଘର୍ଷ କରିବାକୁ ପଡୁଛି ଗାଁ ଲେକଙ୍କୁ । ୨୦୧୯-୨୦ଆର୍ଥିକ ବର୍ଷରେ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ସଙ୍କଟ ଦୂର କରିବା ପାଇଁ ଓରେଡା ପକ୍ଷରୁ ୧୫ଟି ସୌରଚାଳିତ ପାନୀୟଜଳ ପ୍ରକଳ୍ପ ର୍ନିମାଣ କରାଯାଇଥିଲା । ପ୍ରତି ପ୍ରକଳ୍ପ ପିଛା ୨ଲକ୍ଷ ୬୨ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପଗୁଡିକ ଅଚଳ ହୋଇପଡିଥିବାବେଳେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଏଗୁଡିକର ଖୁବଶୀଘ୍ର ମରାମତି କରାଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି ।

ସେହିପରି ସମାନ ଦୃଶ୍ୟ ବାଲେଶ୍ୱର ବ୍ଲକ ରଣସାହି ପଞ୍ଚାୟତରେ ଦେଖିବାକୁ ମିଳିଛି  । ୫ ବର୍ଷ ପୂର୍ବରୁ ଏଠାରେ କୋଟିଏ ୪୭ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ପାଣିଟାଙ୍କି ବସିଥିଲେ ମଧ୍ୟ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ୮ଟି ୱାର୍ଡର ବାସିନ୍ଦା । ପାଣିଟାଙ୍କି ମଧ୍ୟ ନଷ୍ଟ ହେବାକୁ ବସିଲାଣି । ସେହିପରି ରେମୁଣା ବ୍ଲକ ନରହରିପୁରରେ ବି ସମାନ ଅବସ୍ଥା । ପାଣି ଟାଙ୍କି ବସିଥିଲେ ବି ସେଥିରୁ ପାଣିଆସୁନଥିବାବେଳେ ଗାଁରେ ଥିବା ଟ୍ୟୁବ୍‌ୱେଲରୁ ବି ପର୍ଯ୍ୟାପ୍ତ ପରିମାଣର ପାଣି ଆସୁନାହିଁ ।

ଏପଟେ ସୋମନାଥପୁରରେ ଯେଉଁ ଦୁଇଟି ପାଣି ଟାଙ୍କି ଚାଲୁଛି, ତାହା ଫାଟି ସେଥିରୁ ପାଣି ଝରୁଛି । ପାଣି ପାଇପ ମଧ୍ୟ ଫାଟିଯାଇଥିବାର ଦେଖିବାକୁ ମିଳିଛି । ଜିଲ୍ଲାର ୬ଟି ବ୍ଲକରେ କୋଟିକୋଟି ଟଙ୍କା ଖର୍ଚ୍ଚରେ ଏଭଳି ୭ଟି ପାଣି ପ୍ରକଳ୍ପ ନିର୍ମାଣ ହୋଇଥିଲେ ବି ଲୋକଙ୍କ କୌଣସି କାମରେ ଆସୁନି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବାବେଳେ ବିଭାଗୀୟ ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ବଡ ବଡ ଯୋଜନା ରହିଛି । ଯେମିତି କି ଜଳ ଜୀବନ ମିଶନ, ବସୁଧା, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ଏହିପରି ଅନେକ ଯୋଜନା ରହିଛି । କିନ୍ତୁ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି କେଉଁଠି ଟାଙ୍କି ବସିଥିଲେ ବି ପାଣିର ସୁବିଧା ନାହିଁ । ଆଉ ପୁଣି କେଉଁଠି ନିମ୍ନ ମାନର କାମ, ଏମିତି ଗଦା ଗଦା ଅଭିଯୋଗ ରାଜ୍ୟରେ କୋଣ ଅନୁକୋଣରେ ଦେଖିବାକୁ ମିଳିଛି । ବଡ ବଡ ଯୋଜନା କରି ବାହାବାହା ନେଉଥିବା ସରକାରଙ୍କର ଏହିସବୁ ଯୋଜନାର ସଫଳ ରୁପାୟନ କେତେ ହେଉଛି, ତାହା ସମସ୍ତଙ୍କ ସାମ୍ନାରେ ରହିଛି ।

‘ସରକାର କା ମାଲ୍ ଦରିଆ ମେ ଡାଲ’ ଭଳି କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ତ ତିଆରି ହୋଇଛି କିନ୍ତୁ ନିମ୍ନ ମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ତାହା ଲୋକଙ୍କ କାମରେ ଆସୁନାହିଁ । ଅପେକ୍ଷା କେବେ ଏ ଦିଗରେ ଧ୍ୟାନ ଦେଉଛନ୍ତି ସରକାର ।