• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ କଡ଼ ଲେଉଟାଇବ କି ଶହ ଶହ କୋଟିର ମହାଚିଟଫଣ୍ଡ ଘୋଟାଲା ମାମଲା ? ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ବହୁଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ପରେ ଏବେ ଏଭଳି ଚର୍ଚ୍ଚା ଲାଗିରହିଛି । କିନ୍ତୁ ଏଯାଏଁ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ, ମିଡ଼ିଲମ୍ୟାନ୍ ଶୁଭଙ୍କର ନାୟକ କିମ୍ବା କିଛି ବ୍ୟୁରୋକ୍ରାଟଙ୍କ ନାଁ ଗନ୍ଧ ନାହିଁ । ଏମାନଙ୍କ ବିରୋଧରେ କେବେ ହେବ ଚାର୍ଜଫ୍ରେମ୍ ? କେବେ ବିଚାର ପ୍ରକ୍ରିୟା ସରିବ ଏବଂ କେବେ ଜମାକାରୀଙ୍କୁ ମିଳିବ ଟଙ୍କା ? ତାକୁ ନେଇ ଲାଗିରହିଛି ନାନା ଆଶା ଆଶଙ୍କା ।

ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ । ମାମଲା ଖାରଜ ପାଇଁ ହାଇକୋର୍ଟରେ ପୂର୍ବରୁ ପିଟିସନ ଦାଖଲ କରିଥିଲେ ପ୍ରଭାତ ଓ ତାଙ୍କ ପତ୍ନୀ । ତେବେ ହାଇକୋର୍ଟ ତୁରନ୍ତ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେବା ପରେ ସିବିଆଇ କୋର୍ଟ ଗତକାଲି ଚାର୍ଜଫ୍ରେମ୍ କରିବା ସହ ଉଭୟଙ୍କୁ ତାଙ୍କ ବିରୋଧରେ ଥିବା ଅପରାଧ ସଂପର୍କରେ ଅବଗତ କରିଥିଲେ । ତେବେ ୯ ବର୍ଷ ପରେ ଚାର୍ଜଫ୍ରେମକୁ ନେଇ ପ୍ରଭାତ କହିଛନ୍ତି, ଏହା ଏକ ଜମିଜମା ମାମଲା । ଲାଞ୍ଚ କେହି ଚେକରେ ନିଅନ୍ତିନି । ଯେଉଁମାନେ କାଗଜପତ୍ର ଟାମ୍ପରିଂ କରିଛନ୍ତି, ନିଶ୍ଚିତ ତଦନ୍ତରେ ଧରାପଡ଼ିବେ ।

ଜମାକାରୀଙ୍କ ଅର୍ଥ ହଡପ ଅଭିଯୋଗରେ ମୁମ୍ବାଇରୁ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ପ୍ରଥମେ ଧରିଥିଲା କ୍ରାଇମବ୍ରାଞ୍ଚ । ୨୦୧୪ରେ ମାମଲାର ତଦନ୍ତ ଭାର ସିବିଆଇକୁ ଯିବା ପରେ ପ୍ରଶାନ୍ତ ଦାସ, ଶୁଭଙ୍କର ନାୟକ ଓ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା । ସିସୋର ମୁଖ୍ୟ ପ୍ରଶାନ୍ତ, ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ଠାରୁ ୨୫ ଲକ୍ଷରେ ଜମି କିଣିଥିଲେ ।

ପରେ ଡିଲ୍ ବାତିଲ୍ ହୋଇଥିଲେ ବି ଟଙ୍କା ଫେରସ୍ତକୁ ନେଇ ସିବିଆଇ ଜାଲରେ ପଡ଼ିଥିଲେ ପ୍ରଭାତ ବିଶ୍ୱାଳ । ସେହିପରି ଅନ୍ୟାନ୍ୟ ମାମଲାର ଖୋଳତାଡ଼ ବେଳେ ଶାସକ ଦଳର ରାଜନେତା ଓ ବ୍ୟୁରୋକ୍ରାଟଙ୍କ ସହ ପ୍ରଶାନ୍ତଙ୍କ ଲିଙ୍କ ପଦାକୁ ଆସିଥିଲା । ମିଡ଼ିଲମ୍ୟାନ ଶୁଭଙ୍କରର ଡାଏରୀରୁ ବି ଫିଟିଥିଲା ମହାଗୁମର । ଏଥିପାଇଁ କିଛି ନେତା, ଆଇପିଏସ୍ ଅଧିକାରୀ ଓ ପୂର୍ବତନ ପ୍ରଶାସକଙ୍କୁ ସିବିଆଇ ପଚରାଉଚରା କରିଥିଲା । ଆଉ ଏବେ ୯ ବର୍ଷ ପରେ ପ୍ରଭାତ ଏବଂ ପତ୍ନୀଙ୍କ ନାଁରେ ଚାର୍ଜସିଟ୍ ହୋଇଥିବାରୁ ଆଗକୁ ଅନ୍ୟ ବଡ଼ବଡ଼ିଆଙ୍କ ପାଳି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କୁ ଜଷ୍ଟିସ ଏମ୍.ଏମ୍.ଦାସ କମିଶନ ଦେଇଥିବା ୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ତା’ ମଧ୍ୟରୁ ମାତ୍ର ୨୧ ଶହ କ୍ଷୁଦ୍ର ଜମାକାରୀ ଟଙ୍କା ପାଇଛନ୍ତି । କାରଣ ଚିଟଫଣ୍ଡ କମିଶନଙ୍କ ୭ ବର୍ଷର ତଦନ୍ତ ପରେ ୨୦୨୦ ପରଠୁ ବନ୍ଦ ରହିଛି କାର୍ଯ୍ୟାଳୟ ।

ତା’ ଭିତରେ ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ ଏବେ ଛତୁଫୁଟା ଅବସ୍ଥାରେ । ଆଉ ଏ ଚିତ୍ର ବାଲେଶ୍ୱର ଉଦୟପୁରରେ ଥିବା ବାସିଲ ଇଣ୍ଟରନ୍ୟାସନାଲର ୬ ମହଲା ବିଶିଷ୍ଟ ହୋଟେଲ । ସରକାର ସିଲ୍ କରିବା ପରଠୁ ଭୂତକୋଠି ପାଲଟିଛି । ସେହିପରି AT GROUPର ହୋଟେଲର ବି ସମାନ ଦଶା । ଏଭଳି ସ୍ଥିତିରେ କେବେ ମିଳିବ ଜମା ଟଙ୍କା ? କ’ଣ ହେବ ସେମାନଙ୍କ ଭବିଷ୍ୟତ ? ତା’କୁ ନେଇ ନାନା ଆଶଙ୍କାରେ ଜମାକାରୀ ।

  • Reported by:
  • PRAVAT BISOI , RASHMIRANJAN DAS , SOUMYA RANJAN SAHOO