• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୀରମିତ୍ରପୁର ପୌରାଞ୍ଚଳରେ ଥିବା ଏକ ମାତ୍ର ହିନ୍ଦୀ ସ୍କୁଲରେ ଏବେ ପଢିବାକୁ ଡରୁଛନ୍ତି ପିଲା I ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ରହିଥିବା ବେଳେ ଅଛି କିନ୍ତୁ ମାତ୍ର ତିନୋଟି କଠୋରୀ । ଆଉ ଏମିତି ସ୍ଥିତିରେ କେମିତି ପିଲାମାନେ ପାଠ ପଢୁଥିବେ ତାହା ଉଣା ଅଧିକେ ସମସ୍ତଙ୍କୁ ଜଣା । ସମସ୍ୟା କେବଳ କଠୋରୀକୁ ନେଇ ରହିଛି ତାହା ନୁହେଁ ବରଂ ଶିକ୍ଷକଙ୍କର ବି ରହିଛି ଅଭାବ । ବର୍ତ୍ତମାନ ସ୍କୁଲରେ ୪୨ରୁ ଉର୍ଦ୍ଧ୍ୱ ପିଲା ପଢୁଥିବା ବେଳେ ଗଣିତ ଓ ବିଜ୍ଞାନ ଶିକ୍ଷକ ନଥିବାରୁ ପାଠ ପଢାରେ ସୃଷ୍ଟି ହେଉଛି ଅନେକ ବାଧା । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତେଜିବାରେ ଲାଗିଛି ଅସନ୍ତୋଷ ।

କେବଳ କଠୋରୀ କି ଶିକ୍ଷକ କମ୍‌ ରହିଛନ୍ତି ତାହା ନୁହେଁ ବରଂ ସ୍କୁଲର ଅବସ୍ଥା ପୂରା ଖରାପ ? କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ଛାତ । ଆଉ ଏମିତି ବିପଦସଂକୁଳ ଅବସ୍ଥାରେ ପିଲାମାନେ ବସି ପଢୁଛନ୍ତି ପାଠ । ଘର ଓ ଛାତ ଅବସ୍ଥା ତ ଯାହା ଯେମିତି ରହିଛି ହେଲେ ତଳ ପକ୍କାର ଅବସ୍ଥା ବି ସଙ୍ଗୀନ ହେଲାଣି ।

ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ବସି ପିଲାମାନେ ପାଠ ପଢୁଥିବା ବେଳେ ଅନ୍ୟ ଦୁଇ କଠୋରୀରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବସି ପାଠ ପଢୁଛନ୍ତି । ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍କୁଲରେ ଠିକ୍‌ରେ ପାଠ ପଢା ହୋଇନପାରିବାରୁ ଅଭିଭାବକମାନେ ମଧ୍ୟ ପିଲାଙ୍କୁ ପାଠ ପଢାଇବାକୁ ସ୍କୁଲକୁ ଛାଡିବାକୁ ରାଜି ନାହାନ୍ତି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କଷ୍ଟେମଷ୍ଟେ ସ୍କୁଲରେ ପାଠ ପଢୁଥିବା ବେଳେ ନବମରେ ପଢିବାକୁ ବାଧ୍ୟ ହୋଇ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଅନେକ ପିଲା । ତେଣୁ ଓଡ଼ିଆ ପାଠ ପଢିବାରେ ଅନେକ ସମସ୍ୟାର ସାମ୍ନା କରନ୍ତି ପିଲା ।

ତେବେ ଅଭିଭାବକଙ୍କ ଅଭିଯୋଗ ସମ୍ପର୍କରେ କୁଆଁରମୁଣ୍ଡା ବ୍ଲକ BEO ଙ୍କ ପ୍ରତିକ୍ରିୟା ନେଇଥିଲୁ I ସେ କହିଛନ୍ତି ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ଚାଲିଛି । ବହୁଶୀଘ୍ର ସମସ୍ୟାର ହେବ ସମାଧାନ ।

 

  • Reported by:
  • Rakesh Kumar Sahoo