• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରକାରଙ୍କ ଉପରେ ବର୍ଷିଲେ ଦଶମ ଶ୍ରେଣୀର ଛାତ୍ରୀ ? ସିଧାସିଧା କହିଲେ ଆମ ସ୍କୁଲରେ ଶିକ୍ଷକ ନାହାନ୍ତି । କେବଳ ଗଣିତ ପାଠ ପଢାଯାଉଛି । ଏମିତି ହେଲେ ଆମେ କେବଳ ଗଣିତରେ ମାର୍କ ରଖିବୁ ଅନ୍ୟ ବିଷୟରେ କଣ କରିବୁ? କେବଳ ସ୍କୁଲର ଉନ୍ନତି କଲେ ହେବନି ବରଂ ଶିକ୍ଷାବ୍ୟବସ୍ଥାର ଉନ୍ନତି କରିବାର ଦରକାର । ହଠାତ୍‌  ଛାତ୍ରୀ ଜଣକ କାହିଁକି ଏମିତି କହିଲେ ବୋଧହୁଏ କିଛି ବୁଝିପାରୁନଥିବେ ଆପଣ । ହେଲେ ପ୍ରକୃତ କଥା ଜାଣିବା ପରେ ଆପଣ ବି ମୁଣ୍ଡରେ ହାତ ଦେବେ ।

ଗଞ୍ଜାମ ବୁଗୁଡ଼ା ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟରୁ ସାମ୍ନାକୁ ଆସିଛି  ସାଙ୍ଘାତିକ ଦୃଶ୍ୟ । ୫-ଟିରେ ସ୍କୁଲ ଅନ୍ତର୍ଭୁକ୍ତ ହେବା ପରେ ସମସ୍ତେ ଆଶା ରଖିଥିଲେ କି ସ୍କୁଲରେ ଭଲ ପାଠ ପଢାଯିବ ଆଉ ପିଲାମାନେ ଭଲ ପଢିବେ । ହେଲେ ସବୁ ଆଶା ଏବେ ଆଶାରେ ହିଁ ରହିଯାଇଛି । କାରଣ ଏହି ବିଦ୍ୟାଳୟରେ ୮ ଜଣ ଶିକ୍ଷକଙ୍କର ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଥରେ ଚିନ୍ତା କରନ୍ତୁ...ଏମିତି ସ୍ଥିତିରେ ତଳ କ୍ଲାସର ପିଲା ତ ଯାହା ଯେମିତି ପାଠ ପଢୁଥିବେ ହେଲେ ଦଶମ ପିଲାଙ୍କ ଭବିଷ୍ୟତ ହେବ କଣ?

ନବମ ଓ ଦଶମ ଶ୍ରେଣୀରେ ପ୍ରାୟ ୧୪୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଦିନ କେତେଟା ପରେ ଅଧିକାଂଶ ପିଲା ଏମାନଙ୍କ ମଧ୍ୟରୁ ଦଶମ ବୋର୍ଡ ପରୀକ୍ଷା ଦେବେ । ହେଲେ ଅବସ୍ଥା ଏମିତି ହେଲାଣି ଯେ ପିଲାମାନେ ଗଣିତକୁ ଛାଡି ଅନ୍ୟ କୌଣସି ବିଷୟରେ ଶିକ୍ଷାଲାଭ କରିପାରୁନାହାନ୍ତି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।

ଏହି ସ୍କୁଲରେ ପୂର୍ବରୁ ୩ ଜଣ ଶିକ୍ଷକ ଥିବା ବେଳେ ଗତ ମାସରେ ୨ ଜଣ ଶିକ୍ଷକ ଅବସର ନେଇଥିଲେ । ବାସ୍‌ ଏହାପରଠୁ ମାତ୍ର ଜଣିଏ ଶିକ୍ଷକଙ୍କ ହାତରେ ପୂରା ସ୍କୁଲର ଭାଗ୍ୟ । ଜଣେ ଶିକ୍ଷକ ଥିବାରୁ ଠିକ୍‌ରେ ପିଲାମାନେ ପାଠ ବି ପଢିପାରୁନାହାନ୍ତି । ଆଉ ଏତିକିବେଳେ ଦଶମ ବୋର୍ଡ ପରୀକ୍ଷା ପାଖେଇ ଆସୁଥିବାରୁ ଚିନ୍ତାରେ ଉଭୟେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ଅନ୍ୟପଟେ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଲାଗି ରହିଥିବା ଶିକ୍ଷକ ସମସ୍ୟା ଦେଖି ଗାଁର କିଛି ପୂର୍ବତନ ଛାତ୍ରଛାତ୍ରୀ ଅନୁମତି ନେଇ ପିଲାଙ୍କୁ ପାଠ ପଢାଉଥିବାର ବି ଦେଖିବାକୁ ମିଳିଛି । ସେପଟେ ପୂରା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ବି ଶିକ୍ଷକ ନିଯୁକ୍ତି କରାଯାଉନଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ l ସ୍କୁଲରେ ଶିକ୍ଷକ ଅଭାବ ନେଇ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ପରେ ବି ତାହା ସମ୍ଭବ ହୋଇପାରିନଥିଲା ।

 

  • Reported by:
  • Pitabasa Das

OTV is now on Whatsapp

Join and get latest news update delivered to you via whatsapp

Join Now