• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏସ୍‌ସିବି ମେଡିକାଲକୁ ମଙ୍କିପକ୍ସର ନୋଡାଲ ସେଣ୍ଟର କରାଯାଇଛି । ମେଡିକାଲ ତରଫରୁ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ ଓ ସ୍କିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି ।

ସୂଚନା ଅନୁସାରେ, ଆଉଟଡୋର ଓ ଇନଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସଜାଗ କରି ଦିଆଯାଇଛି । କୌଣସି ବ୍ୟକ୍ତିଙ୍କ ଠାରେ ଯଦି ଏହି ରୋଗର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଟିମ୍‌କୁ ଅବଗତ କରିବାକୁ କୁହାଯାଇଛି ।

ସେହିପରି ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଦୁଇଟି ଏବଂ ଆଇସିୟୁ ବେଡ଼ ୪ଟି ପ୍ରସ୍ତୁତ କରି ରଖାଯାଇଛି । ଯଦି କୌଣସି ରୋଗୀ ଆସନ୍ତି ତେବେ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମଙ୍କିପକ୍ସର ନୋଡାଲ ଅଧିକାରୀ ଡ଼ାକ୍ତର ଜୟନ୍ତ ପଣ୍ଡା ।

ସେପଟେ ମଙ୍କିପକ୍ସ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ- ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ । ରୋଗୀ ତିନି ଥାକିଆ ମାସ୍କ ପିନ୍ଧିବେ । ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ୍‌ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ । ମଙ୍କିପକ୍ସ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ, ସେଲ ଓ ଟିସୁ ଦାନ କରିପାରିବେନି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବେ । ତେବେ ଏହି ନିୟମଗୁଡ଼ିକୁ ମାନିବାକୁ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ମଙ୍କିପକ୍ସ ଭୂତାଣୁର ଲକ୍ଷଣ କଣ, ଏହା କେତେ ଭୟଙ୍କର ଓ ଏଥିପାଇଁ କି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି ?

  • ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ ।
  • ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ ଓ ଦେହରେ ଫୋଟକା ଭଳି ଫଳି ଯାଏ ।
  • ସମୟ ସମୟରେ ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରେ ।
  • ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି ।
  • ପ୍ରଥମେ ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ ।
  • ୪ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ ତେଣୁ ଅନେକ ଏହାକୁ ହାଡ଼ଫୁଟି ଭାବେ ଧରିନିଅନ୍ତି ।
  • ୬ରୁ ୧୩ ଦିନ ଯାଏ ଏହାର କୋପ ରହେ କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ଏହାର ପ୍ରକୋପ ଦେଖିବାକୁ ମିଳେ ତେବେ ୨ରୁ ୪ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ କମିଯାଏ ।
  • ସଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ ତେବେ ଉପଯୁକ୍ତ ଚିକିତ୍ସା ନକରାଇଲେ ଏହା ଘାତକ ହୋଇପାରେ ।
  • ଆଫ୍ରିକୀୟ ଦେଶଗୁଡିକରେ ଯେଉଁଠି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଠାରେ ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି ।
  • ପରିଷ୍କାର ପରିଚ୍ଛନ୍ନ ରହିବା ସହ ଉପଯୁକ୍ତ ଚିକିତ୍ସା ଓ ସୁଷମ ଖାଦ୍ୟ ଖାଇଲେ ଅଧିକାଂଶ ରୋଗୀ ସୁସ୍ଥ ହୋଇଯିବା ସମ୍ଭାବନା ଅଧିକ ।
  • ମଙ୍କିପକ୍ସ ଲାଗି ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବାହାରି ନାହିଁ ଲକ୍ଷଣକୁ ଦେଖି ସାଧାରଣ ଚିକିତ୍ସା କରାଯାଇଥାଏ ।
  • ଭୂତାଣୁ ଯେଭଳି ନବ୍ୟାପିବ ସେଥିଲାଗି ଆକ୍ରାନ୍ତଙ୍କୁ ପୃଥକ କରି ରଖିବାକୁ ହୁଏ ।