ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ବଣ୍ଟନରେ ବଡ଼ଧରଣର ଦୁର୍ନୀତି । ସ୍କୁଲକୁ ଆସୁଛି ୫୦ କେଜିର ଚାଉଳ ବସ୍ତା ହେଲେ ଓଜନ କଲା ବେଳକୁ ପ୍ରତି ବସ୍ତାରେ ୫ରୁ ୭ କେଜି ଓଜନ କମ୍ ରହୁଛି । କେନ୍ଦ୍ରାପଡ଼ା ଆଳି ବ୍ଲକର ସବୁ ସ୍କୁଲକୁ ଆସୁଥିବା ଚାଉଳ ଓଜନରେ ଦେଖିବାକୁ ମିଳିଛି ଏହି ଅନିୟମିତତା । ଆଶ୍ଚର୍ଯ୍ୟର କଥା ହେଲା, MDM ନୋଡାଲ ଅଫିସର ଓ ଜିଲ୍ଲା ଶିକ୍ଷା ଅଧିକାରୀ ସବୁ ଜାଣି ଚେଇଁ ଶୋଇଥିବା ଭଳି ମନେ ହେଉଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ଏମ୍.ଏସ୍. ସୁରେନ୍ଦ୍ର ସାହୁ ଟ୍ରାନ୍ସପୋର୍ଟିଂ ଏଜେନ୍ସିର ଚଞ୍ଚକତା ଏବେ ପଦାକୁ ଆସିଛି । ଆଳି ବ୍ଲକର ଉର୍ଦ୍ଦୁ ବାଳିକା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପଢୁଥିବା ୯୦ ପିଲାଙ୍କୁ ପ୍ରତିଦିନ ଦିଆଯାଏ ମଧ୍ୟାହ୍ନ ଭୋଜନ । କିନ୍ତୁ ସ୍କୁଲକୁ ଆସୁଥିବା ପ୍ରତି ବସ୍ତା ଚାଉଳରେ ୫ କେଜି କମ୍ ଅର୍ଥାତ୍ ୪୫ କେଜି ରହୁଛି । ସ୍କୁଲରେ ଥିବା ଓଜନ ମେସିନରେ ଏହା ଧରାପଡିଛି । ଟ୍ରାନ୍ସପୋର୍ଟିଂ କଣ୍ଟ୍ରାର ଏଭଳି ମନମାନି କରୁଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି ।
ଆଳି ବ୍ଲକର ୧୮୫ଟି ସ୍କୁଲ ସମେତ ପୂରା କେନ୍ଦ୍ରାପଡ଼ା ଜିଲ୍ଲାର ୧୭ଶହ ୧୮ଟି ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଇଥାଏ ଏମ୍.ଏସ୍. ସୁରେନ୍ଦ୍ର ସାହୁ ଟ୍ରାନ୍ସପୋର୍ଟିଂ ଏଜେନ୍ସି । ପ୍ରତି ପ୍ୟାକେଟରେ ୪-୫ କେଜି କମ୍ ରହିଲେ, ଏଭଳି ଶହ ଶହ ବସ୍ତାରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ କମ୍ କରି ସ୍କୁଲକୁ ଦେଉଛି ସମ୍ପୃକ୍ତ ଏଜେନ୍ସି । ତେଣୁ ଚାଉଳ ବଣ୍ଟନରେ ବିରାଟ ଘୋଟାଲାର ଗନ୍ଧ ବାରି ହେଉଛି । ଏଥିରେ କେବଳ ଟ୍ରାନ୍ସପୋର୍ଟିଂ ଏଜେନ୍ସି ନୁହେଁ, ସିଆରସିସି ଓ ଶିକ୍ଷକ ମାନଙ୍କର ମଧ୍ୟ ହାତ ଚିକ୍କଣ ହେଉଥିବା ସନ୍ଦେହ କରାଯାଉଛି ।
ଚାଉଳ ଓଜନ କରି ରଖିବା ପାଇଁ ସ୍କୁଲକୁ କୁହାଯାଇଥିବା ବେଳେ କାହିଁକି ସିଆଡୁ ଚାଉଳ କମାଇ ପ୍ୟାକିଂ କରୁଛି ଟ୍ରାନ୍ସପୋର୍ଟିଂ ଏଜେନ୍ସି, ସେନେଇ MDM ନୋଡାଲ ଅଫିସରଙ୍କ ମତାମତ ଲୋଡ଼ା ଯାଇଥିଲା । ତେବେ ଏନେଇ କୌଣସି ଅଭିଯୋଗ ମିଳିନଥିବା ସେ ସଫେଇ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ତଦନ୍ତ କରି ୭ ଦିନ ଭିତରେ ପଦକ୍ଷେପ ନିଆଯିବ ।
କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ଏମ୍.ଏସ୍. ସୁରେନ୍ଦ୍ର ସାହୁ ଟ୍ରାନ୍ସପୋର୍ଟିଂ ଏଜେନ୍ସିର କାରସାଦି ଧରାପଡିବା ପରେ ଏଜେନ୍ସି ପ୍ରୋପାଇଟର ନିଜ ଆଡୁ ଦୋଷ ଖସାଇ ଏମଡିଏମ୍ ନୋଡାଲ ଅଫିସର, ସିଆରସିସି ଓ ଡିଇଓଙ୍କୁ ବଲ୍ ଫିଙ୍ଗିଛନ୍ତି । ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ହେଉଥିବା ହେରଫେର୍ ଘଟଣାର ନିରପେକ୍ଷ ତଦନ୍ତ ହେଲେ ସଂପୃକ୍ତ ଏଜେନ୍ସିର କାରନାମା ପଦାକୁ ଆସିବ ।
ରିପୋର୍ଟ- ବନମାଳି ସାହୁ