Advertisment

ଶ୍ରମିକ ନାଁରେ ଟଙ୍କା ଲୁଟିଛନ୍ତି ସରପଞ୍ଚଙ୍କ ସଂପର୍କୀୟ !

ଆଶ୍ଚର୍ଯ୍ୟର କଥା, ଜୟଦେବଙ୍କ ପତ୍ନୀ ପୁଷ୍ପଲତା ନାଁରେ ଅଛି ତିନି ତିନିଟି ଦାମୀ କାର ଏସବୁ ପରେ ବି ତାଙ୍କ ନାଁରେ ରହିଛି ଜବକାର୍ଡ। ସେହିଭଳି ସରପଞ୍ଚ ପୁଷ୍ପଲତା ପରିଡ଼ାଙ୍କ ସ୍ୱାମୀ ଯୁବ ବିଜେଡିର ବ୍ଲକ୍ ସଭାପତି ଥିଲେ ମଧ୍ୟ  ମନରେଗା କାମର ଭେଣ୍ଡର ଭାବେ କାମ ବି କରୁଛନ୍ତି। ତା ସତ୍ତ୍ୱେ  ଶ୍ରମିକ ତାଲିକାରୁ ତାଙ୍କ ନାଁ ବାଦ୍ ପଡିନି।

author-image
Chandan Shishu
ଅଦ୍ୟତନ ହୋଇଛି
ଶ୍ରମିକ ନାଁରେ ଟଙ୍କା ଲୁଟିଛନ୍ତି ସରପଞ୍ଚଙ୍କ ସଂପର୍କୀୟ !

ମନରେଗା ସ୍କାମ

କଟକ: ପୁଣି ଖୋଲିଲା ମନରେଗା ଦୁର୍ନୀତିର ଆଉ ଏକ ଫର୍ଦ୍ଦ। କଟକ ଜିଲ୍ଲା ବାଙ୍କୀରେ ମନରେଗା ଯୋଜନାରେ କାଗଜକଲମରେ ଶ୍ରମିକ ସାଜି ଟଙ୍କା ହଡ଼ପ କରିଛନ୍ତି ସରପଞ୍ଚଙ୍କ ପରିବାର। ଆର୍ଥିକ ସ୍ବଚ୍ଛଳତା ସତ୍ତ୍ୱେ ନିଜକୁ ଶ୍ରମିକ ପରିଚୟ ଦେଇ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି ଗରିବଙ୍କ ପାରିଶ୍ରମିକ ରାଶି କିଛି ଦିନ ତଳେ ବିଜେପି ଏ ପ୍ରସଙ୍ଗ ଉଠାଇଥିବା ବେଳେ ଏବେ ସାଧାରଣ ଲୋକେ ସାମ୍ନାକୁ ଆସି ଦୁର୍ନୀତିର ମୁଖା ଖୋଲିଛନ୍ତି। 

Advertisment

ଗରିବଙ୍କୁ ହାତକୁ କାମ ଆଉ ପେଟକୁ ଦାନା ଦେବା ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ! ସରକାରୀ କାମର ଠିକା ନେଇଥିବା ସରପଞ୍ଚଙ୍କ ସଂପର୍କୀୟ ଶ୍ରମିକଙ୍କ ନାଁରେ ଲୁଟିଛନ୍ତି ଟଙ୍କା! ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ କୁଶପଙ୍ଗି ସରପଞ୍ଚ ଓ ତାଙ୍କ ପରିବାର ଲୋକଙ୍କ ନାଁରେ। ଦସ୍ତାବିଜ ଅନୁସାରେ ମନରେଗାରେ ୨୦୧୪ରେ ଏହି ଜବ୍‌କାର୍ଡ ପାଇଥିଲେ କୁଶପଙ୍ଗାର ଜୟଦେବ ଜେନା। ପତ୍ନୀ ପୁଷ୍ପଲତା, ଦୁଇ ପୁଅ, ବୋହୁ ଓ ଝିଅଙ୍କୁ ମିଶାଇ ମୋଟ୍ ୬ ହିତାଧିକାରୀ। ତେବେ ଜୟଦେବଙ୍କ ସାନ ବୋହୁ ସରପଞ୍ଚ ହେବା ପରେ ବି ସକ୍ରିୟ ରହିଛି ଏମାନଙ୍କ ଜବ୍ କାର୍ଡ। 

ଆଶ୍ଚର୍ଯ୍ୟର କଥା, ଜୟଦେବଙ୍କ ପତ୍ନୀ ପୁଷ୍ପଲତା ନାଁରେ ଅଛି ତିନି ତିନିଟି ଦାମୀ କାର ଏସବୁ ପରେ ବି ତାଙ୍କ ନାଁରେ ରହିଛି ଜବକାର୍ଡ। ସେହିଭଳି ସରପଞ୍ଚ ପୁଷ୍ପଲତା ପରିଡ଼ାଙ୍କ ସ୍ୱାମୀ ଯୁବ ବିଜେଡିର ବ୍ଲକ୍ ସଭାପତି ଥିଲେ ମଧ୍ୟ  ମନରେଗା କାମର ଭେଣ୍ଡର ଭାବେ କାମ ବି କରୁଛନ୍ତି। ତା ସତ୍ତ୍ୱେ  ଶ୍ରମିକ ତାଲିକାରୁ ତାଙ୍କ ନାଁ ବାଦ୍ ପଡିନି।

Advertisment

୨୦୧୭ -୧୮ ଆର୍ଥିକ ବର୍ଷରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୁଶପଙ୍ଗି ସମେତ ଆଖପାଖ ପଞ୍ଚାୟତରେ ମନରେଗା ଯୋଜନାରେ ୪୦ରୁ ଅଧିକ ପ୍ରକଳ୍ପରେ ଭେଣ୍ଡରିଂ କରି ଆସୁଛନ୍ତି ସରପଞ୍ଚଙ୍କ ସ୍ବାମୀ ଅସିତ କୁମାର ଜେନା। ଏପଟେ ତାଙ୍କ ନାଁରେ ବି ପ୍ରତିବର୍ଷ ମନରେଗା ଯୋଜନାରେ ଶ୍ରମିକ ଭାବେ ଚାଲିଛି ଅର୍ଥ ଉଠାଣ। ଏପରିକି ଜେନା ପରିବାରର ସବୁ ସଦସ୍ୟ ନିୟମିତ ଭାବେ ଶ୍ରମିକ ଭାବେ କାମ କରି ଟଙ୍କା ଉଠାଇବାର ପ୍ରମାଣ ଦେଉଛି ଏ ଦସ୍ତାବିଜ୍।

ତେବେ ପ୍ରଶ୍ନ ଉଠୁଛି, ଦୁଇ ମହଲା ଘର, ପିଡିଏସ ଡିଲର, ଦାମୀ କାର, ବିଦେଶ ଗସ୍ତ, ମନରେଗାରେ ଭେଣ୍ଡରିଂ ଏବଂ ଶାସକ ଦଳରେ ପଦାଧିକାରୀ ହୋଇ ବି ମନରେଗା ଶ୍ରମିକ ଭାବେ କେମିତି ଟଙ୍କା ଉଠାଉଥିଲେ ସରପଞ୍ଚଙ୍କ ସ୍ବାମୀ ଓ ପରିବାର ଲୋକେ? ଏପଟେ ଏ ବାଙ୍କୀର ଏ ବଡ଼ ଦୁର୍ନୀତି ନେଇ ବିଜେପି ଟାର୍ଗେଟ୍ କରିଥିବା ବେଳେ ଘଟଣା ସମ୍ପର୍କରେ ଜେନା ପରିବାର କୌଣସି ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ଘୋଟାଲାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ମାମଲାର ତଦନ୍ତ କାରଯାଉଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ।

କରୋନା ମହାମାରୀରେ କାମ ନପାଇ ବହୁ ଅଭାବୀ ପରିବାର ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏପରି ସ୍ଥଳେ ଥିଲାବାଲା ହୋଇ ବି ଜାଲ ଶ୍ରମିକର ପରିଚୟ ଦେଇ ଅସଲି ଶ୍ରମିକଙ୍କ ପେଟକୁ ଲାତ ମାରି ସରକାରୀ ଅର୍ଥ ବାଟମାରଣା କରିବା କେତେଦୂର ଠିକ ତାହା ଏବେ ବଡ଼ ପ୍ରଶ୍ନ ?

ରିପୋର୍ଟ: ସଂଜୀବ ନାୟକ

Odisha News Labour Card
Advertisment
Advertisment