• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାହାଡ଼ ଉପରେ ସ୍କୁଲ କରି ସରକାରୀ ଅର୍ଥ ଶ୍ରାଦ୍ଧ । ଯେଉଁ ଜାଗାକୁ ରାସ୍ତା ନାହିଁ, ସେଠାରେ ହାଇସ୍କୁଲ କରିଛନ୍ତି ସରକାର କିନ୍ତୁ ପିଲା ଯିବାକୁ ଅମଙ୍ଗ, ଅଭିଭାବକ ଛାଡିବାକୁ ନାରାଜ ।  କୋରାପୁଟ ବ୍ଲକ ଦେଓଘାଟି ଗାଁ ନିକଟ ପାହାଡ଼ ଉପରେ ୨୦୧୫ ମସିହାରେ ନିର୍ମିତ ହୋଇଛି ଦେଓଘାଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ।

 ବର୍ଷା କି ଖରା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ  ପାହାଡ଼ ଚଢି ଜୀବନକୁ ବାଜି ଲଗାଇ ସ୍କୁଲ ଯାଆନ୍ତି । ଯଦି କେବେ ପାହାଡ଼ ଧସେ, ତେବେ ଅଘଟଣ ଘଟିବା ନିଶ୍ଚିତ । ଯେଉଁଠିକୁ ପିଲା ଯିବା ପାଇଁ ରାଜି ନୁହନ୍ତି, ଅଭିଭାବକ ମଧ୍ୟ ପିଲାଙ୍କୁ ଛାଡିବାକୁ ନାରାଜ, ଯେଉଁଠି ରାସ୍ତା ନାହିଁ, ସେଠାରେ କେଉଁ ଉଦ୍ଦେଶ୍ୟରେ ହାଇସ୍କୁଲ ପ୍ରତିଷ୍ଠା କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।

ସ୍କୁଲକୁ ରାସ୍ତା ତ ନାହିଁ, ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲରେ ଗୋଟିଏ ଖେଳପଡିଆ ନିର୍ମାଣ ପାଇଁ ଦୁଇଥର ବିଲ୍ ହୋଇଛି । ୨୦୧୯-୨୦ରେ ୪ ଲକ୍ଷ ଓ ୨୦୨୦-୨୧ରେ ୫ ଲକ୍ଷ । ଏଭଳି ମୋଟ ୯ ଲକ୍ଷ ଟଙ୍କା ବିଲ୍ ହୋଇଛି କିନ୍ତୁ ପଡିଆର ନାଁ ଗନ୍ଧ ନାହିଁ କେବଳ ଦୁଇଟି ଫଳକ ମାରି ଟଙ୍କା ଚଳୁ ହୋଇଛି ।

ପାହାଡ଼ ଉପରେ ସ୍କୁଲ ନିର୍ମାଣ କରି ଲକ୍ଷ ଲକ୍ଷ ସରକାରୀ ଟଙ୍କା ସ୍ୱାହା ହୋଇଥିବା ବେଳେ ପିଲାଙ୍କ ପାଠପଢା ପାଇଁ ଭିତ୍ତିଭୂମିର ଅଭାବ ଯେଉଁଠି ରାସ୍ତା ନାହିଁ, ଖେଳ ପଡିଆ ନାହିଁ, ସେଠି ସରକାର କାହିଁକି ପ୍ରତିଷ୍ଠା କଲେ ହାଇସ୍କୁଲ ? ମନରେଗା ଯୋଜନାରେ ସରକାରୀ ଅର୍ଥ ଶ୍ରାଦ୍ଧ ପାଇଁ ଏହା ସୁଚିନ୍ତିତ ଯୋଜନା ନୁହେଁ ତ ? ଏହି ଘୋଟାଲାରେ ବ୍ଲକ ଅଧିକାରୀଙ୍କ ସମ୍ପୃକ୍ତି ପଦାକୁ ଫୁଟି ବାହାରୁଛି ବିଡିଓ କହିଛନ୍ତି, ସେଠାରେ ସରକାରୀ ଜାଗା ନଥିବାରୁ ରାସ୍ତା କରିବାରେ ସମସ୍ୟା ହେଉଛି ।

ସରକାର ଦେଓଘାଟି ଗାଁରେ ଥିବା ପ୍ରାଇମେରି ସ୍କୁଲକୁ ଅପଗ୍ରେଡ୍ କରି ରୂପାନ୍ତରଣ କଲେ । ପାହାଡ଼ ଉପରେ ତିଆରି ହେଲା ହାଇସ୍କୁଲ ହେଲେ ଏଠି ପ୍ରଶ୍ନ ଉଠୁଛି, ଯେଉଁଠି କୌଣସି ସୁବିଧା ନାହିଁ ସେଠାରେ କାହିଁକି କରାଗଲା ହାଇସ୍କୁଲ ? ଯଦି ହେଲା, ତେବେ ରାସ୍ତା ପାଇଁ କାହିଁକି ନିଆଯାଉନି ପଦକ୍ଷେପ ? କିଛି ଅଘଟଣକୁ ଅପେକ୍ଷା କରିଛନ୍ତି କି ସରକାର ? ତାସହ ଖେଳପଡିଆ ନାଁରେ ଟଙ୍କା ମଞ୍ଜୁର ହୋଇ ବିଲ୍ ସରିଥିବା ସତ୍ତ୍ୱେ କାହିଁକି ହେଲାନି ଖେଳପଡିଆ ?