/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637223814.jpg)
Adibandha issue
ରାୟଗଡା: ନିର୍ମାଣର ୭ ବର୍ଷ ପରେ ବି କୃଷକଙ୍କ ସେବାରେ ଲାଗୁନି ଆଡିବନ୍ଧ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବାରିବଟା ନିକଟରେ ନିର୍ମାଣ ହୋଇଥିବା କଲ୍ୟାଣି ଆଡିବନ୍ଧ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି । ୨ କୋଟି ୬୫ ଲକ୍ଷ ଟଙ୍କାରେ ନିର୍ମିତ ଆଡିବନ୍ଧରୁ ପାଣି ନେବା ପାଇଁ ଏଯାଏ କେନାଲ୍ ନିର୍ମାଣ ହୋଇପାରିନି । ଏପଟେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଶହଶହ ଏକର ଚାଷ ଜମି ପଡିଆ ପାଲଟି ଯାଇଛି । ଏହି ପ୍ରକଳ୍ପଟି ୨୦୧୨ ମସିହାରେ ଆରମ୍ଭ ହୋଇ ୨୦୧୪ରେ ଶେଷ ହୋଇଥିଲା ।
କଲ୍ୟାଣୀ ନଈରେ ନିର୍ମିତ ଏହି ଆଡିବନ୍ଧ ୨ଟି ପଂଚାୟତ ସିଙ୍ଗାରି ଓ ଢାମୁନିପାଙ୍ଗାର ୧୮ଶହ ଏକର ଜମିରେ ଜଳସେଚନ ପାଇଁ ନିର୍ମାଣ ହୋଇଥାନ୍ତା । ହେଲେ ବିଡମ୍ବନାର ବିଷୟ, ତତ୍କାଳୀନ ବିଭାଗୀୟ ଅଧିକାରୀ କେଉଁ କାରଣରୁ ରାୟଗଡା ଜିଲ୍ଲା ବଦଳରେ ସୀମାନ୍ତ କଳାହାଣ୍ଡି ଜିଲ୍ଲା କଳାକୁପାରେ ଆଡିବନ୍ଧ ନିର୍ମାଣ କଲେ,ତାହା କାହାରିକୁ ଜଣାନାହିଁ । ପୁଣି କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ କେନାଲ ନିର୍ମାଣ କରାଯାଇ ଜଳସେଚନ କରାଯାଉଛି । ଅଥଚ ରାୟଗଡାବାସୀ ପାଣି ପାଉନାହାନ୍ତି ।
ଏନେଇ ଅନେକଥର ବିଧାୟକ, ସାଂସଦ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କଥା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଭାଗୀୟ ସହକାରୀ ଯନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପର ଲ୍ୟାଣ୍ଡ ଏକ୍ଜିକ୍ୟୁସନ ସମସ୍ୟା ରହିଛି ଏବଂ ଅଣ୍ଡର୍ ଗ୍ରାଉଣ୍ଡ ପାଇପ୍ ଲାଇନରେ ଖୁବ୍ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)