• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୨୦୨୨ ଅଗଷ୍ଟରେ ପୋଲ ଭାଙ୍ଗିଥିଲା ହେଲେ ଆଜିଯାଏଁ ତିଆରି ହୋଇପାରିଲାନି ନୂଆ ପୋଲ । ବରଂ ଭଙ୍ଗା ବ୍ରିଜ୍‌ ପାଖରେ ହୋମ୍‌ ପାଇପ୍‌ ବସେଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଦେଲା । ହେଲେ ଖରା କି ଶୀତ ଦିନରେ ଯାହା ଯେମିତି ଲୋକମାନେ ଯିବାଆସିବା କରୁଛନ୍ତି କିନ୍ତୁ ବର୍ଷା ଦିନରେ ସ୍ଥିତି ପୂରା ବେହାଲ ହେଲାଣି । ହଠାତ୍‌ ବର୍ଷା ହେବାରୁ ରାସ୍ତାରେ ପାଣି ମାଡିଆସିଲା । ଆଉ ଯିବାଆସିବା ପୂରା ଠପ୍‌ ହୋଇଗଲା ।

କୋରାପୁଟରୁ ରାୟଗଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ର ବଙ୍ଗଳାଗୁଡା ପୋଲ ଉପରେ ଏବେ ପାଣି ଚାଲିଲେ ରାସ୍ତା ବନ୍ଦ ହୋଇଯାଉଛି । ହଠାତ୍‌ ପ୍ରବଳ ବର୍ଷା ହେବାରୁ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଥିଲା । ତେଣୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଲା । ଜରୁରୀକାଳୀନ ଯିବାଆସିବା ଲାଗି ମହାଦେଇପୁଟ ଦେଇ ଯାଉଥିବା ବେଳେ ଭାରୀଯାନ ଗୁଡିକ ଦାମନଯୋଡି - କାକରିଗୁମା ଦେଇ ଗନ୍ତବ୍ୟ ସ୍ଥଳକୁ ଗଲେ । ଯଦି ନୂଆ ପୋଲ ନିର୍ମାଣ ହୋଇଥାଆନ୍ତା ତେବେ ଲୋକମାନେ ହଇରାଣ ହୋଇନଥାନ୍ତେ ବୋଲି କହିବା ସହିତ ତୁରନ୍ତ ପୋଲ ନିର୍ମାଣ କରିବା ଲାଗି ଜୋର ଧରିଲାଣି ଦାବି ।

ଏହି ପୋଲ ନିର୍ମାଣ ନ ହେଲେ ପୁଣି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହେବାର ସମ୍ଭାବନା ରହିଛି । ତେଣୁ ସ୍ଥାୟୀ ଭାବରେ ୪ ଥାକିଆ ଅତ୍ୟାଧୁନିକ ପୋଲ ନିର୍ମାଣ ହେବା ନେଇ ବୈଷୟିକ ଟିମ ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ରାଜପଥ କର୍ତ୍ତୃପକ୍ଷ ଏ ନେଇ ବିଭାଗକୁ ପ୍ରସ୍ତାବ ଦେଇ ସାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲା ନାହିଁ । ସେପଟେ ପୋଲ ନିର୍ମାଣରେ ବିଳମ୍ବ କଥାକୁ ଜାତୀୟ ରାଜପଥ କର୍ତ୍ତୃରକ୍ଷଙ୍କ ପକ୍ଷରୁ କୁହାଯାଇଛି କି, ୮.୯୧ କୋଟିର ଟେଣ୍ଡର ସରିଛି, ପୋଲ କାମ ଖୁବଶୀଘ୍ର ଆରମ୍ଭ ହେବ ।

ମିଳିଥିବା ସୂଚନା ଅନୁସାରେ, ୬୦ ଦଶକରେ ଏହି ବ୍ରିଜ୍‌ ନିର୍ମାଣ ହୋଇଥିଲା । ସେତେବେଳେ ବ୍ରିଜକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଥିଲା । ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗ ଅଧିନକୁ ଆସିଥିଲା ଏହି ବ୍ରିଜ୍ । ପରେ ପୁଣି ଥରେ ୧୦ ବର୍ଷ ହେବ ପୋଲଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନକୁ ଆସିଥିଲା । ତେବେ ପୋଲ କେବେ ନିର୍ମାଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

 

  • Reported by:
  • Surya Narayan Panda