• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଚାରିପାଖରେ ନିର୍ମାଣ କରାଯାଉଛି ମଜବୁତ ଲୁହା ଷ୍ଟ୍ରକଚର । କ୍ରେନ୍ ଜରିଆରେ ଚାଲିଛି ନିର୍ମାଣ କାମ । ଏକ ଐତିହାସିକ ନିଷ୍ପତ୍ତି କ୍ରମେ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଭୂମିପୂଜା କରିଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ- ASI । ଏହାପରେ ଚଳିତ ବର୍ଷ ଜାନୁଆରୀରେ ବାଲି କାଢ଼ିବା ପାଇଁ ଆରମ୍ଭ ହୋଇଥିଲା ଷ୍ଟ୍ରକଚର ନିର୍ମାଣ କାମ । ହେଲେ କୌଣସି କାରଣବଶତଃ କାମ ଆରମ୍ଭର କିଛି ଦିନ ପରେ ବନ୍ଦ ରହିଥିଲା ।

ଏବେ ପୁଣିଥରେ ଜୋରସୋରରେ ଷ୍ଟ୍ରକଚର ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ସ୍ୱାଗତ କରିଥିଲେ ବି ଏନେଇ ସମସ୍ତ ତଥ୍ୟ ଏଏସ୍ଆଇ ସାର୍ବଜନୀନ କରୁ ବୋଲି ଦାବି କରିଛନ୍ତି । ଏପଟେ ଏଏସ୍ଆଇ ଅଧୀକ୍ଷକ କହିଛନ୍ତି, ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ଆରମ୍ଭ ହୋଇନାହିଁ । ଏବେ କେବଳ ଜଗମୋହନର ସ୍ଥିତି ପରଖିବାକୁ ଷ୍ଟ୍ରକଚର ନିର୍ମାଣ କରାଯାଉଛି । ଏହାପରେ ଗର୍ଭଗୃହ ଉପରିଭାଗରୁ ଡ୍ରିଲ କରାଯାଇ ଭିତର ସ୍ଥିତି ଅନୁଧ୍ୟାନ କରାଯିବ । ଏହାପରେ କୋର କମିଟି ନିଷ୍ପତ୍ତି ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଐତିହାସିକଙ୍କ ମତରେ, କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ପଥର ଖସୁଥିବାରୁ ୧୯୦୩ ମସିହାରେ ତତ୍କାଳୀନ ଇଂରେଜ ସରକାର ସୂର୍ଯ୍ୟମନ୍ଦିର ସୁରକ୍ଷା ଦୃଷ୍ଟିରୁ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । ଗର୍ଭଗୃହର ଉପରିଭାଗ ଯାଏଁ ବାଲି ଭର୍ତ୍ତି ହୋଇଥିଲା । କିନ୍ତୁ କିଛି ବର୍ଷ ତଳେ ରୁର୍କି ସେଣ୍ଟର ଫର ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଗର୍ଭଗୃହର ସ୍କାନିଂ ଓ ଏଣ୍ଡୋସ୍କୋପିରୁ ଜଣାପଡ଼ିଥିଲା, ବାଲିସ୍ତର ଗର୍ଭଗୃହ ଉପରିଭାଗରୁ ୧୭ ଫୁଟ ତଳକୁ ଦବି ଯାଇଛି । ଏହାପରେ ଗର୍ଭଗୃହରୁ ବାଲି କାଢ଼ି ଏହାର ସୁଦୃଢ଼ୀକରଣ ଲାଗି ଏଏସଆଇ ନିଷ୍ପତ୍ତି ନେଇଥିଲା  ଏପଟେ ଭୂତତ୍ତ୍ୱବିଦ୍ କହିଛନ୍ତି, ବାଲି କଢ଼ାଯିବା ଫଳରେ ମନ୍ଦିର ଅଧିକ ଦୀର୍ଘସ୍ଥାୟୀ ହେବ । ତେବେ ବାଲି କାଢ଼ିବା ବେଳେ ଯେଭଳି ମନ୍ଦିର ଉପରେ କୌଣସି ପ୍ରଭାବ ନ ପଡ଼େ, ASI କର୍ତ୍ତୃପକ୍ଷ ତାହା ସୁନିଶ୍ଚିତ କରିବା ଆବଶ୍ୟକ ।

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରିଛି ASI । ଏବେ ଅପେକ୍ଷା, କେବେ ଗର୍ଭଗୃହ ଭିତର ସ୍ଥିତି ଅନୁଧ୍ୟାନ ସରିବ ଓ ଆରମ୍ଭ ହେବ ବାଲି କଢ଼ା ପ୍ରକ୍ରିୟା ।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

  • Reported by:
  • KAPILENDRA PRADHAN , CHANDAN PAIKRAY