• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୪ ମହଲା କୋଠାର ନିର୍ମାଣରେ ଖର୍ଚ୍ଚ ହେଲାଣି ୧୩ କୋଟିରୁ ଅଧିକ ଟଙ୍କା

ସମ୍ବଲପୁର(ସଂଜୟ କୁମାର ଜେନା) : ସମ୍ବଲପୁର ମହାନଗର ନିଗମ ଅଫିସ, ଦେଖିବାକୁ ଅବିକଳ ହୀରାକୁଦ ଡ୍ୟାମ ଭଳି । ମ୍ୟୁନିସିପାଲିଟିରୁ ମହାନଗର ନିଗମ ହେବା ସହ ବଦଳିଛି ଅଫିସର ଚିତ୍ର । ସହରର ଦୁର୍ଗାପାଲି ଠାରେ ନିର୍ମାଣ ହୋଇଛି ସମ୍ବଲପୁର ମହାନଗର ନିଗମର ନିଜସ୍ୱ ବିଲଡିଂ । ୪ ମହଲା ବିଶିଷ୍ଟ କୋଠାର ନିର୍ମାଣ କାମ ସରିଥିବା ବେଳେ ଆଭ୍ୟନ୍ତରୀଣ କାମ ଓ ସଂଯୋଗ ରାସ୍ତା କାମ ଚାଲିଛି । ଏହାପରେ ନୂଆ ବିଲଡିଙ୍ଗରେ କାର୍ଯ୍ୟ କରିବ ସମ୍ବଲପୁର ମହାନଗର ନିଗମ ଓ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଫିସ ।

ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଠିଆ ହୋଇଛି ହୀରାକୁଦ ଡ୍ୟାମ୍ । ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ର ସ୍ପିଲ ୱେ ଭଳି ନିର୍ମାଣ ହୋଇଛି ଢାଂଚା । ହାରାକୁଦ ଡ୍ୟାମର ଅବିକଳ ପ୍ରତିଛବି । ସହର ଉପକଂଠ ଦୁର୍ଗାପାଲି ଠାରେ ମହାନଦୀ କୂଳକୁ ଲାଗି ତିଆରି ହେଉଛି ସମ୍ବଲପୁର ମହାନଗର ନିଗମର ନୂଆ କୋଠା । ୪ମହଲାର ଏହି କୋଠା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୩ କୋଟି ୭୨ ଲକ୍ଷ ଟଙ୍କା ।

ବିଲଡିଂର ନିଆରା ଡିଜାଇନ ଦୂରରୁ ଆକର୍ଷିତ କରୁଛି ସମସ୍ତଙ୍କୁ । ବାହାରୁ ହୀରାକୁଦ ଡ୍ୟାମ୍ର ଡିଜାଇନ୍ ଆଉ ଭିତରେ ପ୍ରତିଫଳିତ ହେବ ସମ୍ବଲପୁରୀ କଳା ସଂସ୍କୃତିର ଝଲକ । ନିର୍ମାଣ ଓ ରଙ୍ଗ କାମ ସରିବା ପରେ ବଦଳିଯିବ କୋଠାର ରୂପ । ସମ୍ବଲପୁର ମ୍ୟୁନିସିପାଲିଟି, ହୀରାକୁଦ ଓ ବୁର୍ଲା ବିଜ୍ଞାପିତ ଅଂଚଳ ସହ ଆଖାପଖର ୧୨ ଟି ପଂଚାୟତର ୫୨ଟି ଗାଁକୁ ନେଇ ଗଠିତ ହୋଇଛି ସମ୍ବଲପୁର ମହାନଗର ନିଗମ ।

ତେଣୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ଏହି ନୂଆ ବିଲଡିଂ ନିର୍ମାଣ କରାଯାଉଛି । ଏଠାରେ ସମ୍ବଲପୁର ମହା ନଗର ନିଗମ ଅଫିସ ସହ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ଅଫିସ ମଧ୍ୟ କାର୍ଯ୍ୟ କରିବ ।

୨୦୧୭ ସେପ୍ଟେମ୍ବରରେ ବିଲଡିଂର ନିର୍ମାଣ କାମ ଆରମ୍ଭ ହୋଇଥିଲା । ବର୍ତ୍ତମାନ SMC ଚାଲିଥିବା କୋଠାଟି ୧୯୨୭ ମସିହାର । ସେଠାରେ ସ୍ଥାନର ଅଭାବ ଥିବାରୁ ମହାନଦୀ କୂଳକୁ ଲାଗି ତିଆରି ହେଉଛି ବିଶାଳ ତଥା ହୀରାକୁଦ ପ୍ରତିଛବିର ନୂଆ ବିଲଡିଂ ।