• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଇଲେକ୍ସନରେ ମୁଦ୍ଦା ପାଲଟେ, ଖୋଲାମଞ୍ଚରେ ପ୍ରତିଶ୍ରୁତି ବି ମିଳେ। ହେଲେ ନିର୍ବାଚନ ସରିଗଲେ ନେତା ଭୁଲିଯାନ୍ତି। ପୁଣି ଥରେ ଇଲେକ୍ସନ ଆସିଲେ ମନେ ପକାଇ ଲୋକଙ୍କ ପ୍ରତିଶ୍ରୁତି ଦିଅନ୍ତି । ଏଣେ ମିଛ ପ୍ରତିଶ୍ରୁତିରେ ଭାସୁଥିବା ଜନତା, ପୁରୁଷ ପୁରୁଷ ଧରି ସଢୁଥାନ୍ତି ସମସ୍ୟାର ଅସରନ୍ତି ଜାଲରେ । 

ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଓ ସମ୍ବଲପୁର ନାକଟିଦେଉଳ ୨ଟି ଅଞ୍ଚଳର ଘଟଣା । ବିକାଶର ମାଳ ମାଳ ବିଜ୍ଞାପନକୁ କେଉଁଠି ଶକ୍ତ ଚାପୁଡ଼ା ମାରିଛି ଗାଁ ଲୋକଙ୍କ ଦ୍ବାରା ନିର୍ମିତ ଅସ୍ଥାୟୀ କାଠପୋଲ ତ ଆଉ କେଉଁଠି ନିର୍ବାଚନୀ ପ୍ରତିଶ୍ରୁତିର ପୋଲ୍ ଖୋଲିଦେଇଛି ଆବଡ଼ା ଖାବଡ଼ା ରାସ୍ତା । ପରିଣାମ ସ୍ବରୂପ, ବିକାଶ ନାହିଁ ତ ଭୋଟ୍ ନାହିଁ ବୋଲି ଏବେ ରୋକଠୋକ୍ ଚେତାବନୀ ଶୁଣାଇଛନ୍ତି ଗାଁ ଲୋକେ ।

ଆଉ ଚଳିବନି ଭୋଟ୍ ପାଇଁ ମିଛ ପ୍ରତିଶ୍ରୁତି। ଏଥର ଆଉ ଭୋଟ୍ ନାଁରେ ଭଣ୍ଡାଇପାରିବେନି ରାଜନେତା । ଗାଁ ଲୋକଙ୍କ ରୋକଠୋକ୍ ଚେତାବନୀ ପୋଲ ନାହିଁ ତ ଭୋଟ୍ ନାହିଁ । ସମ୍ବଲପୁର ନାକଟିଦେଉଳ ବ୍ଲକ ସାଲେଭଟା ପଞ୍ଚାୟତର ଟିକିରା ନଈ । ଏହି ଛୋଟିଆ ନଇଁ ଉପରେ ପୋଲ ଖଣ୍ଡେ ପାଇଁ କେତେ ନେହୁରା ହୋଇଛନ୍ତି ଏହି ପଞ୍ଚାୟତ ଅନ୍ତର୍ଗତ ୯ ଖଣ୍ଡ ଗାଁ ଲୋକେ। ନିର୍ବାଚନୀ ପ୍ରତିଶ୍ରୁତି ବି ସାଜିଥିଲା ପୂର୍ବ ନିର୍ବାଚନ ବେଳେ। ହେଲେ ଭୋଟ୍ ପାଇଗଲା ପରେ ଯିଏ ଯାହା ବାଟରେ । ପରିଣାମ ସ୍ବରୂପ, ବର୍ଷ ବର୍ଷ ଧରି ଭୋଗୁଆସୁଥିଲେ ଦୁର୍ଦ୍ଦଶା । ଶେଷରେ ନେତା ପ୍ରଶାସନକୁ ଭରସା ନକରି ନିଜେ ତିଆରି କରିଛନ୍ତି ଅସ୍ଥାୟୀ କାଠପୋଲ । 

 ପୋଲ ଖଣ୍ଡେ ନଥିବାରୁ ଏହି ପଞ୍ଚାୟତର ୯ ଖଣ୍ଡ ଗାଁ ଲୋକଙ୍କୁ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ୧୭ କିଲୋମିଟର ବୁଲିବାକୁ ପଡ଼େ । ଯଦି ପୋଲଟିଏ ହୋଇଯାଆନ୍ତା ତା’ହେଲେ ୧୫ କିଲୋମିଟର ବାଟ କମି ଯାଆନ୍ତା । ହେଲେ ଗୁହାରୀକୁ ଶୁଣୁଛି କିଏ । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଗମନାଗମନ ପାଇଁ ନାନା ହୀନସ୍ତା ହେଉଛନ୍ତି ୯ ଖଣ୍ଡ ଗାଁର ଲୋକେ । ତେଣୁ ଆଉ କେତେ ସହିବେ, ଘର ପିଛା ୨ଶହ ଲେଖାଏଁ ଅର୍ଥ ଓ ଶ୍ରମଦାନ କରି ଅସ୍ଥାୟୀ ପୋଲ ତିଆରି କରି ଏଥର ଭୋଟ୍ ବର୍ଜନର ପୋଷ୍ଟର ମାରିଦେଇଛନ୍ତି। ବିଧାୟକ କହିଛନ୍ତି, ପୋଲ ପାଇଁ ପ୍ରସ୍ତାବ ଯାଇଛି, ଖୁବଶୀଘ୍ର କାମ ହେବ ।

ଅନ୍ୟପଟେ ଉପାନ୍ତ ଜିଲ୍ଲା ମାଲକାନଗିରି । ଯେଉଁଠି ବିକାଶ ସାତ ସପନ, ଅପହଞ୍ଚ ମୌଳିକ ସୁବିଧା । ଆଜି ବି ରହିଛି କାଦୁଅ ପଚ୍ ପଚ୍ ରାସ୍ତା , ଏଠି ଉଇଁନି ସ୍ବାଧିନତାର ସୂର୍ଯ୍ୟ, ଆଜି ବି ରାଜୁତି କରୁଛି ଅନ୍ଧାରୀ ଶାସନ। କୋରକୁଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଦୌଡ଼ାଗୁଡ଼ା ଭାଲୁଗୁଡ଼ା ଗାଁ । ଉଭୟ ଗାଁରେ ଜନସଂଖ୍ୟା ୪ଶହରୁ ଅଧିକ । କିନ୍ତୁ ପକ୍କା ରାସ୍ତା ତ ଦୂରର କଥା, ବାଟ ଚାଲିଲା ଭଳି ରାସ୍ତା ଖଣ୍ଡେ ନଥିବାରୁ ଲୋକେ ପ୍ରତିଦିନ କେମିତି ଯିବା ଆସିବା କରୁଛନ୍ତି ତାହା ନକହିବା ଭଲ । ଯେଉଁଠି ଚାଲିକି ଯିବା ମୁସ୍କିଲ୍, ସେଇଠି ବାଇକ୍ ଯାଇପାରିବ କେମିତି । ରୋଗଦୁଃଖରେ ପଡ଼ିଲେ ଭାରରେ ବୁହା ହୋଇ ୪ କିଲୋମିଟର ଦୂର ମେଡ଼ିକାଲ ଯିବାକୁ ପଡ଼େ । ଏଥି ନିରୀହ ମାନଙ୍କୁ ପୂର୍ବ ନିର୍ବାଚନ ଗୁଡ଼ିକରେ ଏଠି ରାସ୍ତା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ନେତା ଆଉ ପ୍ରଶାସନ। କିନ୍ତୁ, ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଏଥର ଭୋଟ୍ ପାଇଁ କୌଣସି ନେତା ଗାଁକୁ ଆସିଲେ ବିରୋଧ କରିବେ । 

 

ବିକାଶ ନାଁରେ ଭୁରୁଡ଼ି ମାରୁଛନ୍ତି ରାଜ୍ୟ ସରକାର । ବିକାଶ ନାଁରେ ମାଳ ମାଳ ବିଜ୍ଞାପନ କରୁଛନ୍ତି । ହେଲେ ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ଏହି ଘଟଣା ସରକାରଙ୍କ ତୁଚ୍ଛା ଆତ୍ମପ୍ରଚାରକୁ ଆଜି ପଦାରେ ପକାଇ ଦେଇଛି ।

ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ ଏବଂ ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ, ଓଟିଭି।