• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନଦୀକୁ ଲାଗିଥିବା ଜଙ୍ଗଲରେ ଗଛ ବଢିବା ପାଇଁ ଟ୍ରେଞ୍ଚ ହୋଇଛି । ଟ୍ରେଞ୍ଚରେ ପାଣି ଜମି ରହିଲେ ଗଛ ଶୀଘ୍ର ବଢିବ ବୋଲି ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତ ପକ୍ଷରୁ ହୋଇଛି ଏହି ପ୍ରକଳ୍ପ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେଉଁ ଗଛ ବଢିବା ପାଇଁ ଟ୍ରେଞ୍ଚ ହୋଇଛି, ସେଗୁଡିକ ବିରାଟ ବିରାଟ ଶାଳ ଗଛ ଗଛ ଗୁଡିକ ବଢିସାରିଥିବା ବେଳେ ଏବଂ ପାଖରେ କୋଏଲ୍ ନଦୀ ଥିବା ବେଳେ କାହିଁକି ଟ୍ରେଞ୍ଚର ଆବଶ୍ୟକତା ପଡିଲା । ନା ଟଙ୍କା ମାରି ଖାଇବା ପାଇଁ ଏହା ସୁଚିନ୍ତିତ ଯୋଜନା ତାକୁ ନେଇ ଉଠିଛି ପ୍ରଶ୍ନ ।

ସାଧାରଣତଃ ନୂଆ ଚାରା ଲାଗିଲେ, ଅଧିକ ପାଣି ପାଇଁ ଟ୍ରେଞ୍ଚର ଦରକାର ପଡେ ହେଲେ । ଏଠି ସରକାରୀ ଯୋଜନାର ଟଙ୍କା ଆତ୍ମସାତ୍ ପାଇଁ ଏଭଳି ଅଭିନବ ଉଦ୍ୟମ କରାଯାଇଛି । ନିରକ୍ଷର ଆଦିବାସୀଙ୍କୁ ଭୁଆଁ ବୁଲାଇ ଜଙ୍ଗଲ ଭିତରେ ଗୋଟିଏ ଫଳକ ମାରିଦେଇ ଟଙ୍କା ହଡପ୍ କରାଯାଉଛି । ପୁଣି ଦେଢ ବର୍ଷ ତଳର କାମ, ହେଲେ ଶ୍ରମିକ ମାନଙ୍କ କହିବା କଥା, ସେମାନେ ଏବେ ମାସେ ହେଲା କାମ କରୁଛନ୍ତି ।

ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି । ଏ ପ୍ରକଳ୍ପ ତେତେରକେଲା ପଞ୍ଚାୟତର ହୋଇଥିବାରୁ ସେଠାକାର ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ବି ଥ ଥ ମ ମ ହୋଇ କହିଛନ୍ତି, ଖରାଦିନେ ପାଣି ଶୁଖିଯାଉଥିବାରୁ ଟ୍ରେଞ୍ଚ ହୋଇଛି ।

ଟ୍ରେଞ୍ଚ ନାଁରେ ଟଙ୍କା ହରିଲୁଟ୍ ଖବର ତାଙ୍କ ପାଖରେ ଥିବା କହିଛନ୍ତି ସ୍ଥାନୀୟ ବିଧାୟକ । ଏନେଇ ବିଭାଗୀୟ ଅଧିକାରୀ ଓ ବନ ବିଭାଗ ସହ ମଧ୍ୟ ଆଲୋଚନା କରିଛନ୍ତି । ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଏ କାମ ତାଙ୍କର ନୁହେଁ ବୋଲି କହି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ପାନପୋଷ ଉପଜିଲ୍ଲାପାଳଙ୍କ ଚିରାଚରିତ ଉତ୍ତର, ତଦନ୍ତ କରାଯିବ ।

ଏଠି ପ୍ରଶ୍ନ ଉଠୁଛି, ଜଙ୍ଗଲକୁ ଲାଗି କୋଏଲ ନଦୀ ଥିବା ବେଳେ ଏଭଳି ବିରାଟ ବିରାଟ ଶାଳ ଗଛ ପାଇଁ ପାଣିର କାହିଁକି ଆବଶ୍ୟକତା ପଡିଲା ? କେମିତି ମଞ୍ଜୁର ହେଲା ୧୦ ଲକ୍ଷ ଟଙ୍କା?

(ରିପୋର୍ଟ-ପବନ ତିୱାରୀ, ରାଉରକେଲା)