• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ଛୁଇଁଲାଣି ୧୩ । ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ଗୁରୁତର କଥା ହେଉଛି, ଝାଡ଼ାବାନ୍ତି ଏବେ ସ୍ମାର୍ଟସିଟିର ସବୁ ୱାର୍ଡକୁ ବ୍ୟାପିଗଲାଣି । ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ମୁଖ୍ୟମନ୍ତ୍ରୀ ଗତକାଲି ସମୀକ୍ଷା କରିବା ପରେ ଆଜି ସ୍ୱାସ୍ଥ୍ୟ ସଚିବ ରାଉରକେଲା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମହାନଗରର ସମସ୍ତ PHCକୁ ବି ୨୪ ଘଣ୍ଟା ଖୋଲା ରଖି ରୋଗୀଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ୧୧ ବର୍ଷୀୟା ଅଞ୍ଜଳିଙ୍କ ବାପା କହିଛନ୍ତି, ଝିଅର ବାରମ୍ବାର ଝାଡ଼ାବାନ୍ତି ହେଲା । ଯାହା ଖାଇଲେ, ପିଇଲେ ସବୁ ବାନ୍ତି ହୋଇଗଲା । ଗୁରୁତର ହେବାରୁ ହସ୍ପିଟାଲ ନେବା ବାଟରେ ହିଁ ଆଖି ବୁଜିଦେଲା ଝିଅ । ହେଲେ ଅଞ୍ଚଳିଙ୍କ ମୃତ୍ୟୁ ଝାଡ଼ାବାନ୍ତି ଜନିତ ମୃତ୍ୟୁ ବୋଲି ସରକାରୀ ଖାତାରେ ଚଢ଼ିନି ।

ଏପଟେ ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି । ଅଞ୍ଜଳିଙ୍କ ସମେତ IGHରେ ୩ ଓ JP ହସପିଟାଲରେ ୩ ଜଣ, ଏମିତି ଆଉ ୬ ଜଣଙ୍କ ଜଣଙ୍କ ଜୀବନ ଗଲାଣି, ଯାହା ସରକାରୀ ଖାତାକୁ ଉଠିନି ।

ସେପଟେ ଦିନକୁ ଦିନ ରାଉରକେଲାରେ ଗମ୍ଭୀର ହେଉଛି ଝାଡ଼ାବାନ୍ତି ଓ ହଇଜା ସ୍ଥିତି । ୧୦ ଦିନ ଭିତରେ ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ। ଖାଲି ସେତିକି, ଡିସେମ୍ବର ୧୦ରେ ୪-୫ଟି ୱାର୍ଡରେ ସୀମିତ ଥିବା ଏ ଝାଡ଼ାବାନ୍ତି ଓ ହଇଜା ପରେ ପରେ ୧୨ରୁ ୧୪ ଆଉ ଏବେ ମହାନଗର ନିଗମର ସମସ୍ତ ୪୦ ୱାର୍ଡକୁ ବ୍ୟାପିଗଲାଣି । ଯାହାକୁ ନେଇ ଚିନ୍ତାରେ ଷ୍ଟିଲ୍ ସିଟି ବାସୀ ।

ରାଉରକେଲାରେ ହଇଜା ସ୍ଥିତି ଏତେ ବିଗିଡ଼ିଗଲାଣି ଯେ ଗତକାଲି ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ । ଆଉ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ଏକ ଅଧିକାରୀସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରଙ୍କ ଏଭଳି ତତ୍ପରତାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରିଲାଣି । କେଉଁଠୁ, କାହିଁକି ଓ କେମିତି ବ୍ୟାପିଲା ହଇଜା ? ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଯୋଗୁ ସ୍ମାର୍ଟସିଟି ରାଉରକେଲାକୁ କବଳିତ କରିଥିବା ଏ ହଇଜା ରାଜ୍ୟର ଅନ୍ୟ ଅଞ୍ଚଳକୁ ମାଡ଼ିଯାଇନି ତ ?

ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ରାଉରକେଲାରେ ଏବେ ଝାଡ଼ାବାନ୍ତି ନିୟନ୍ତ୍ରଣରେ ରହିଛି । ପାଣି ବିଶୋଧନ କରାଯାଇଥିବାରୁ ଯେଉଁ ନୂଆ ମାମଲା ଆସୁଛି, ସେମାନେ ଗୁରୁତର ହେଉନାହାନ୍ତି । ଝାଡ଼ାବାନ୍ତି ବ୍ୟାପିବା ପଛରେ କାରଣ କ’ଣ ତାହା ଜାଣିବାକୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରୁ ଏକ ଟିମ୍ ରାଉରକେଲାରେ ପହଞ୍ଚିଥିବା ବେଳେ ଖୁବ୍‌ଶୀଘ୍ର କଟକ ବଡ଼ ମେଡିକାଲ ଓ RMRCର ଏକ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ରାଉରକେଲାରେ ବ୍ୟାପୁଥିବା ଝାଡ଼ାବାନ୍ତିରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ କିଭଳି ଶୀଘ୍ର ଏ ସ୍ଥିତିରେ ସୁଧାର ଅଣାଯିବ, ତାହା ଏବେ ସରାକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି ।

  • Reported by:
  • PAWAN TIWARI