Advertisment

ସରକାରୀ ଯୋଜନା କାହା ପାଇଁ ? ଜୀବନକୁ ବାଜି ଲଗାଇ ଭରା ନଦୀରେ ଯାଆସ କରୁଛନ୍ତି ଲୋକେ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ। ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। ରାସ୍ତା ନଥିବାରୁ କେଉଁଠି ଲୋକଙ୍କୁ ନଦୀ ପାର୍‌ ହେବାକୁ ପଡୁଛି ତ ଆଉ କେଉଁଠି ନାଳ ଓ ଘାଟି ରାସ୍ତା ପାର୍‌ ହେବାକୁ ପଡୁଛି।

author-image
Rajalaxmi Sahoo
Road Still Distant Dream For People

Road Still Distant Dream For People

ମୋହନା/କରଞ୍ଜିଆ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ। ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। ରାସ୍ତା ନଥିବାରୁ କେଉଁଠି ଲୋକଙ୍କୁ ନଦୀ ପାର୍‌ ହେବାକୁ ପଡୁଛି ତ ଆଉ କେଉଁଠି ନାଳ ଓ ଘାଟି ରାସ୍ତା ପାର୍‌ ହେବାକୁ ପଡୁଛି। ମୟୂରଭଞ୍ଜ ଜିଲ୍ଲାର ଟମକସିଳା ଓ ଗଜପତି ଜିଲ୍ଲାର କୁମାଙ୍ଗପଦର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ ଯାଆସ କରନ୍ତି। ଦେହ ଖରାପ ହେଲେ ଭଗବାନ ହିଁ ଭରସା। ଗାଁରେ ନଳକୂପ ନଥିବାରୁ ଲୋକେ ବାଧ୍ୟ ହୋଇ ନଦୀ ପାଣି ପିଇଥାନ୍ତି। ଗ୍ରାମବାସୀ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଛନ୍ତି। ହେଲେ ସମସ୍ତେ ଯେମିତି ଜାଣି ଅଜଣା ଭଳି ରହୁଛନ୍ତି। 

ମୌଳିକ ସୁବିଧାରୁ ବଞ୍ଚିତ ଆଉ ଏକ ଅପହଞ୍ଚ ଗାଁ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ କୁମାଙ୍ଗପଦର ଗାଁ। ଏହି ଗାଁକୁ ଯିବାକୁ ହେଲେ ଆପଣଙ୍କୁ ପଥୁରିଆ ଘାଟି ରାସ୍ତା ଏବଂ ଦୁଇଟି ନାଳ ଅତିକ୍ରମ କରି ଯିବାକୁ ପଡିବ। ସବୁଠୁ ଆଶ୍ଚର୍ଯ୍ୟ କଥା, ଆବାସ ଯୋଜନାରେ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଗୃହ ନିର୍ମାଣ ଉପକରଣ ଆସି ପାରୁନଥିବାରୁ ଘର ତିଆରି ହୋଇପାରୁ ନାହିଁ। ଏପରିକି ଗାଁରେ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ। ଏଥିରୁ ଜଣାପଡ଼ୁଛି ସତେ ଯେମିତି ସରକାରୀ ଯୋଜନା ଏଠି ଅପହଞ୍ଚ। 

Advertisment

(ମୋହନାରୁ ମିହିର ଜତି ଓ କରଞ୍ଜିଆରୁ ଦୀପକ ମହାନ୍ତଙ୍କ ରିପୋର୍ଟ)

Odisha Villages Government Negligence
Advertisment
Advertisment