• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷ ଓ ଚାଷୀଙ୍କ ଉପରେ ନିର୍ଭର କରେ ବଲାଙ୍ଗିର ଜିଲ୍ଳାର ଅର୍ଥନୀତି । କିନ୍ତୁ ଏଠି ଚାଷୀ ଉପରେ ଅଧିକ ଜୁଲୁମ ଚାଲିଛି । ମିଲର୍ସଙ୍କ ମନମାନୀରେ ହଇରାଣ ହରକତ ହେଉଛନ୍ତି ଚାଷୀ । ଧାନ ବିକିବା ପାଇଁ ମଣ୍ଡିର ବ୍ୟବସ୍ଥା ଅଛି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାତିରେ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣାଯାଇ ମିନର୍ଭା ରାଇସ୍ ମିଲ୍ ଭିତରକୁ ଯାଉଛି । ମିଲ ଭିତରେ ମଧ୍ୟ ମନଇଛା କଟନୀ ଛଟନୀ କରି କମ୍ ଦରରେ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏଭଳି କାରନାମାରେ ଥରେ ଧରାପଡି, କାରଣ ଦର୍ଶାଅ ନୋଟିସ ପାଇଛି ମିନର୍ଭା ରାଇସ ମିଲ ନୋଟିସର ଜବାବ ଦେଇ ନସାରିଥିବା ବେଳେ ପୁଣି ଥରେ ରାତି ଅଧିଆ ରାଇସ ମିଲରେ ଧାନ ଚୋରି ହେଉଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି ।

ଶୀତୁଆ ରାତିରେ ମିଲର୍ସଙ୍କ ଦାଦାଗିରି । ମାଘମାସର ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି କାରବାର ଚାଲିଛି । କାରଣ ବଲାଙ୍ଗିର ଜିଲ୍ଳାରେ ମାନ୍ୟବର ହାଇକୋର୍ଟଙ୍କ ନିୟମ ହୋଇଛି ଧାନକିଣାରେ ସଂପୃକ୍ତ ହୋଇପାରିବେନି ମିଲର୍ସ । ସରକାରୀ ବ୍ୟବସ୍ଥା ଅନୁଯାୟୀ ଚାଷୀଙ୍କ ଠାରୁ ଧାନ କିଣିବ ମଣ୍ଡି । ଆଉ ମଣ୍ଡିରୁ ଧାନ ଉଠାଇବେ ମିଲର୍ସ । କୌଣସି କଟନୀ ଛଟନୀ ହୋଇପାରିବ ନାହିଁ । ହେଲେ ବଲାଙ୍ଗିରରେ ମିନର୍ଭା ରାଇସ ମିଲର ମନମାନୀ ଚଳାଇଛି । ଅଧାରାତିରେ ମିଲ ଭିତରକୁ ଧାନ ଯାଉଛି , ଆଉ ମିଲ ଭିତରେ ନିଜ ମର୍ଜିରେ କଟନୀ ଛଟନୀ କରି ଶାଗମାଛ ଦରରେ ଧାନ କିଣୁଛନ୍ତି ମିଲ ମାଲିକ ।

ସେପଟେ କିଣିଥିବା ଧାନକୁ କୌଣସି ପ୍ରକାରେ ମଣ୍ଡି ରେଜିଷ୍ଟରରେ ଏଣ୍ଟ୍ରି କରି ସରକାରୀ ତହବିଲରୁ ଟଙ୍କା ହରିଲୁଟ କରୁଛନ୍ତି ମିଲର୍ସ । ଏଥର ବି ରାତିରେ ଧାନକିଣି ପେକ୍ସ ସେକ୍ରେଟାରୀଙ୍କୁ ଫୋନ କରି ଏଣ୍ଟ୍ରି କରିବାକୁ ଧମକ ଦେଇଥିଲେ ମିଲ ମାଲିକ । ତେବେ ଏସମ୍ପର୍କରେ ଖୋଦ ଫୋନ ଯୋଗେ ଜଣାଇଛନ୍ତି ପେକ୍ସ ସେକ୍ରୋଟାରୀ । କିନ୍ତୁ ଏଥର ରାତର କାରବାରକୁ ନେଇ ଖୋଦ ମିଲର ସୁରକ୍ଷା କର୍ମୀ ମୁହଁ ଖୋଲି କହିଛନ୍ତି ଚାଷୀଙ୍କ ଧାନ ଯାଉଛି ।

ଦିନ ଆଗରୁ ମିନର୍ଭା ରାଇସ ମିଲ ନାଁରେ ଆସିଥିଲା ସଂଗୀନ ଅଭିଯୋଗ । ବଇରାସର ପେକ୍ସରୁ ଧାନ ଉଠାଇବା ପାଇଁ ମିନର୍ଭା ରାଇସ ମିଲକୁ ସରକାରୀ ନିର୍ଦେଶ ରହିଛି । କିନ୍ତୁ ପେକ୍ସ କର୍ମଚାରୀ ଓ ଅଧିକାରୀଙ୍କ ହାତକରି ମଣ୍ଡିର ସିସିଟିଭିକୁ ଅଚଳ କରିଦେଇଥିଲେ ବେପାରୀ ଓ ଅଧିକାରୀ । ତାପରେ ମଣ୍ଡିରେ ଚାଲିଥିଲ ଦାଦାଗିରି । ଚାଷୀଙ୍କୁ ନାନା ପ୍ରକାର ହଇରାଣ କରି ସିଧାସଳଖ ମିଲକୁ ନେଉଥିଲେ ଧାନ । ଏ ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଆଉ ଏ ସମ୍ପର୍କରେ ତଦନ୍ତ ପାଇଁ ଯାଇଥିଲେ ଅତିରିକ୍ତ ଜିଲ୍ଳାପାଳ ଓ ଡି.ଆର.ସି.ଏସ । ହେଲେ ସଲାସୁତୁରା କରି ଫେରି ଆସିଲେ ।

କିନ୍ତୁ ସୌଜନ୍ୟତା ଦୃଷ୍ଟିରୁ ସବୁ ପେକ୍ସକୁ ଚିଠି କଲେ ଡି.ଆର.ସି.ଏସ । ସିଧାସଳଖ କୌଣସି ମିଲକୁ ଧାନ ଯାଇପାରିବ ନାହିଁ, ଆଉ ମିଲ ମାଲିକକୁ କାରଣ ଦର୍ଶାଅ ନୋଟିସ କରିଥିଲେ ମୁଖ୍ୟ ଜିଲ୍ଳା ଯୋଗାଣ ଅଧିକାରୀ । ଏତେ ସବୁ ସତ୍ୱେ ମିଲର୍ସଙ୍କ ଚରିତ୍ର ବଦଲିନାହିଁ । କେବଳ ଚିତ୍ର ବଦଳିଯାଇଛି । ଦିନରେ କରୁଥିବା ଚୋରି ଏବେ ରାତିରେ ଚାଲିଛି । କିନ୍ତୁ କ୍ୟାମେରାରେ କଏଦ ନିଶା ରାତିର ଚୋରୀ ଭିଡିଓ ଦେଖି ବିଭାଗୀୟ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ ହେବ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବଲାଙ୍ଗୀରରୁ ମନୋରଞ୍ଜନ ଯୋଶୀଙ୍କ ରିପୋର୍ଟ