• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋଦ୍ ଗଜପତି ଚିନ୍ତାବ୍ୟକ୍ତ କରିଥିଲେ । ନିକଟରେ ଏଏସ୍‌ଆଇ ବି ଚିଠି ଲେଖିଥିଲା । ତଥାପି ଶ୍ରୀମନ୍ଦିର ପରିଚାଳନା କମିଟିରେ କାହିଁକି ଉଠୁନି ମହାପ୍ରଭୁ ଜଗନ୍ନାଥଙ୍କ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗ ? ମ୍ୟାନେଜିଂ କମିଟିର ବୈଠକ ପରେ ବୈଠକ ବସୁଥିଲେ ବି କେଉଁ କାରଣରୁ ଏଜେଣ୍ଡାରେ ଅନ୍ତର୍ଭୁକ୍ତ ହେଉନି ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?

ଯଦିଓ ଆଜିର ବୈଠକରେ ଭକ୍ତଙ୍କ ଭାବନା ସହ ଜଡ଼ିତ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଏହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଥିଲେ ପ୍ରମୁଖ ସଦସ୍ୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କିନ୍ତୁ ଏହା ଏଜେଣ୍ଡାରେ ନଥିବା କହି ତାଙ୍କ କଥାକୁ ଏଡ଼ାଇ ଦିଆଯାଇଥିଲା । ଯଦ୍ୱାରା ବୈଠକରେ ଗୁରୁଗମ୍ଭୀର ସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ଏଏସ୍‌ଆଇର କାର୍ଯ୍ୟଧାରା ସମ୍ପର୍କରେ ସୁଦର୍ଶନ ଆପତ୍ତି ଉଠାଇଥିଲେ ବି ତାଙ୍କ କଥା କେହି ଶୁଣିନଥିଲେ ।

ତେବେ ବୈଠକ ସରିବା ପରେ ନିଜେ ସୁଦର୍ଶନ ହୁଅନ୍ତୁ କି ଅନ୍ୟ ପରିଚାଳନା କମିଟି ସଦସ୍ୟ, ସମସ୍ତେ ସାମ୍ବାଦିକଙ୍କ ପ୍ରଶ୍ନରେ ଥ ଥ ମ ମ ହେଉଥିଲେ ବି ଜଣେ ହେଲେ ପଦୁଟିଏ ମୁହଁ ଖୋଲିନଥିଲେ । ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନ ଶୁଣୁ ଶୁଣୁ ଉତ୍ତର ନଦେଇ ପଳାଇଥିଲେ ।

ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ସୁରକ୍ଷା ନେଇ ନିଇତି ହଲ୍ଲାପଟ୍ଟା ଚାଲିଛି । ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ମେମ୍ବର, ସମସ୍ତେ ଏହାକୁ ଗୁରୁତ୍ୱର ସହ ନେବାକୁ ଦାବି କରୁଛନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନ କି ରାଜ୍ୟ ସରକାର, କାହାରି ଏଥିପ୍ରତି ନିଘା ନାହିଁ । ଏମିତିକି ପୂର୍ବରୁ ରତ୍ନଭଣ୍ଡାର ସ୍ଥିତିକୁ ନେଇ ଗଭୀର ଚିନ୍ତାପ୍ରକଟ କରିଥିବା ନିଜେ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଦସ୍ୟ ତଥା ଗଜପତି ମହାରାଜା ବି କାହିଁକି ନିଜ ଅଖଣ୍ଡ କ୍ଷମତା ବ୍ୟବହାର କରି ଏଜେଣ୍ଡାରେ ଏ ପ୍ରସଙ୍ଗକୁ ସ୍ଥାନ ଦେଉନାହାନ୍ତି ବୋଲି ପ୍ରଶ୍ନ ଉଠୁଥିବାବେଳେ, ରତ୍ନଭଣ୍ଡାର ପ୍ରତି ଅଣଦେଖା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ ହେଉଛି । ଯାହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବି ତେଜିଛି ।

ଏପଟେ ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପର୍ସ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି- ଆଗାମୀ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟକୁ ମିଟିଂରେ ଗ୍ରହଣ କରାଯାଇଛି । ତାସହ ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ ରେକର୍ଡ ପାଇଁ ନିଷ୍ପତ୍ତି ହୋଇଛି ଓ ଏଥିପାଇଁ ଓରସାକର ସାହାଯ୍ୟ ନିଆଯିବ । ତାଛଡ଼ା ସେବାୟତ ବାସଗୃହ ଯୋଜନା ସହ ଆଦର୍ଶ ଗୁରୁକୁଳ ସ୍ଥାପନ ନେଇ ବି ବୈଠକରେ ଆଲୋଚନା ହୋଇଛି ।