Advertisment

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା..CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

CAA

ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍- CAA ଲାଗୁ ହେବା ପରେ ଚାରିଆଡ଼େ ଶରଣାର୍ଥୀଙ୍କୁ ଆଶ୍ୱସ୍ତି। ନାଗରିକତ୍ୱ ନେବାକୁ ନୁହେଁ ବରଂ ଦେବାକୁ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ବୋଲି ଶୁଣି ଓଡ଼ିଶାର କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ହଜାର ହଜାର ବାଂଲା ଶରଣାର୍ଥୀ ବି ଖୁସ୍। ତେବେ ନେପାଳ ଓ ଶ୍ରୀଲଙ୍କାକୁ ଏଥିରେ ସାମିଲ କରା ନ ଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ବିଜେପି-ବିଜେଡି ଏହାକୁ ଐତିହାସିକ ନିଷ୍ପତ୍ତି ଭାବେ ଦର୍ଶାଇଛନ୍ତି।

Advertisment

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ। ୧୯୫୦ ମସିହାରେ ପୂର୍ବ ପାକିସ୍ତାନରେ ଭୟଙ୍କର ଗୃହଯୁଦ୍ଧ ସମୟରେ ଦୁର୍ବିସହ ଜୀବନରୁ ରକ୍ଷା ପାଇବାକୁ ଭାରତକୁ ପଶି ଆସିଥିବା ହଜାର ହଜାର ଶରଣାର୍ଥୀଙ୍କ ମଧ୍ୟରୁ ୧୨୩୭ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶରଣ ମିଳିଥିଲା। କିଏ ମାଛ ମାରିଲା ତ ଡଙ୍ଗା ଚଳାଇଲା, ଏମିତି ଗଡ଼ି ଚାଲିଥିଲା ଜୀବନ, ହେଲେ ମିଳି ନ ଥିଲା ଭାରତୀୟ ନାଗରିକ ଭାବେ ସ୍ୱୀକୃତି। ତେବେ ୨୦୧୪ ମସିହା ପୂର୍ବରୁ ଭାରତ ଆସିଥିବା ସବୁ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବାକୁ କେନ୍ଦ୍ର ସରକାରଙ୍କ ଘୋଷଣା ସେମାନଙ୍କୁ ଆଶ୍ୱସ୍ତି କରିଛି।

କେନ୍ଦ୍ରାପଡା ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢି ଚାଲିଛି। ବର୍ଷ ବର୍ଷ ଧରି ସମୁଦ୍ରପଥରେ ବାଂଲାଦେଶରୁ ଭିତରକନିକା ଦେଇ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରବେଶ କରି ସ୍ଥାୟୀ ଭାବେ ବସବାସ କରୁଛନ୍ତି। ଜିଲ୍ଲାର ତାଳଚୁଆଁ, ଡାଙ୍ଗମାଳ, ଭିତରକନିକା, ଗହୀରମଥା, ଜମ୍ଭୁ, ଖରିନାସି, ବତୀଘର ଆଦି ଅଞ୍ଚଳର ନବେ ଭାଗ ଲୋକ ବାଂଲାଦେଶୀ। ସେହି ୨୦୦୫ରେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ- ସେତେବେବେଳେ କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂହପୁରରେ ୧୧୧୨, ଭଦ୍ରକରେ ୩୧୩, ମାଲକାନଗିରିରେ ୬୬୫ ଓ ନବରଙ୍ଗପୁରରେ ୧୦୬ ବାଂଲା ଶରଣାର୍ଥୀ ଥିଲେ। ହେଲେ ୟା ଭିତରେ ସେମାନଙ୍କ ସଂଖ୍ୟା ୩ ଗୁଣାରୁ ଅଧିକ ହୋଇ ସାରିଲାଣି ବୋଲି ଆକଳନ କରାଯାଉଛି। ଆଉ ଏବେ ସେମାନେ ବିଧିବଦ୍ଧ ଭାରତୀୟ ନାଗରିକ ହେବାକୁ ଯାଉଛନ୍ତି।

Advertisment

ତେବେ ୨୦୧୪ ମସିହା ପରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣ-ମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ-ନେପାଳ ଓ ଶ୍ରୀଲଙ୍କାକୁ କାହିଁକି ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ଦଳ ଅଭିଯୋଗ କରିଛି ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଭ୍ରାନ୍ତି ପାଇଁ ବିଜେପିର ଏହା ଏକ ଚାଲ୍। ବିଜେପି ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ଦର୍ଶାଇଥିବାବେଳେ ବିଜେଡି କହିଛି ଏହାର ଆବଶ୍ୟକତା ଥିଲା, ଦେଶ ବି ଚାହୁଁଥିଲା।

CAA Citizen Amendment Act
Advertisment
Advertisment