• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କାହା ପାଖରେ ରହିବ ଝିଅ ? କିଏ କହୁଛି ପ୍ରକୃତ ସତ ? କ’ଣ ହେବ ଝିଅର ଭବିଷ୍ୟତ ? ୯ ବର୍ଷର ଝିଅକୁ ପାଇବା ପାଇଁ ପାଳିତା ମା’ ଓ ଜନ୍ମ କଲା ମା’ ମଧ୍ୟରେ ବିବାଦ ଦେଖାଦେଇଛି। ପରିସ୍ଥିତି ଏପରି ହୋଇଛି ଯେ ଥାନା ଯାଏ କଥା ପହଞ୍ଚିଛି। ଝିଅକୁ ପାଇବା ପାଇଁ ଭୁବନେଶ୍ୱର ମୁଣ୍ଡା ସାହିରେ ଦୁଇ ମା’ ମୁହାଁମୁହିଁ ହୋଇଛନ୍ତି। ତାଙ୍କ ଝିଅକୁ କେହି ୨୦ ଦିନ ହେବ ଲୁଚାଇ ରଖିଥିବା ନେଇ ଜନ୍ମ କଲା ମା’ ଗତକାଲି ଏନେଇ ଡିସିପିଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଆଜି ପୋଲିସ ମୁଣ୍ଡା ସାହିରୁ ନାବାଳିକା ଝିଅ ଓ ପାଳିତା ମା’ଙ୍କୁ ମଞ୍ଚେଶ୍ୱର ଥାନାକୁ ଆଣି ଥିଲା।

ସୂଚନା ଅନୁସାରେ, ୯ ବର୍ଷ ପୂର୍ବେ ସନ୍ତୋଷ ପ୍ରଧାନ ଓ ମନ୍ଦୋଦୋରି ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇ ଭୁଲ୍‌ ବୁଝାମଣା ହୋଇଥିଲା। ଏହାପରେ ଝିଅକୁ ଧରି ସନ୍ତୋଷ ଭୁବନେଶ୍ୱର ଚାଲି ଆସିଥିଲେ। ଏହାପରେ ବାବୁଲି ବିଶୋଇ ଓ ଟୁନି ବିଶୋଇଙ୍କ ସହ ସନ୍ତୋଷଙ୍କର ଦେଖା ହୋଇଥିଲା। ଦୋକାନ ସମ୍ଭାଳୁ ଥିବାରୁ ସନ୍ତୋଷ ଓ ତାଙ୍କ ଝିଅଙ୍କୁ ଘରେ ରହିବାକୁ ବାବୁଲି ଓ ଟୁନି ଅନୁମତି ଦେଇଥିଲେ। ଉଭୟ ବାପା-ଝିଅ ବାବୁଲିଙ୍କ ଘରେ ରହି ଆସୁଥିଲେ। ବାବୁଲି ଓ ଟୁନି ମଧ୍ୟ ନିଜ ପିଲା ଭାବି ସନ୍ତୋଷଙ୍କ ଝିଅର ଲାଲନପାଳନ କରି ଆସୁଥିଲେ। ହେଲେ ୯ ବର୍ଷ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। 

୯ ବର୍ଷ ପରେ ପତ୍ନୀ ମନ୍ଦୋଦୋରି ଝିଅକୁ ଖୋଜି ଖୋଜି ଆସି ସନ୍ତୋଷଙ୍କ ପାଖରେ ପହଞ୍ଚି ଥିଲେ ଓ ଝିଅକୁ ନିଜ ପାଖରେ ରଖିବା ପାଇଁ ଜିଦ୍‌ ଧରିଥିଲେ। ୯ ବର୍ଷ ହେବ ନାବାଳିକାକୁ ନିଜ ଝିଅ ଭାବି ବାବୁଲି ଓ ଟୁନି ଲାଳନପାଳନ କରିବା ସହ ତା’ର ଦେଖାଶୁଣା ଓ ଭଲ ମନ୍ଦ ବୁଝି ଆସୁଥିବାରୁ ଝିଅକୁ ଦେବା ପାଇଁ ସେମାନେ ଅରାଜି ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ। 

ଗୋଟିଏପଟେ ନାବାଳିକାକୁ ଜନ୍ମ ଦେଇଥିବା ମା’ ଝିଅ ତାଙ୍କର ଦାବି କରୁଥିବା ବେଳେ ପାଳନ କରିଥିବା ମା’ ତାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ପ୍ରଥମେ ଝିଅକୁ ଦେବା ବେଳେ ମହିଳା ଜଣଙ୍କ ସେ ତାଙ୍କ ଝିଅ ନୁହଁ ବରଂ ମିଳିଥିବା ଝିଅ ବୋଲି କହୁଥିଲେ। ୯ ବର୍ଷ ଧରି ସ୍ନେହ, ଭଲ ପାଇବା ଦେଇ ଲାଳନପାଳନ କରିବା ପରେ ଝିଅ ତାଙ୍କର ବୋଲି ପାଳିତା ମା’ ଦାବି କରିଛନ୍ତି।ଝିଅକୁ ଦେବାକୁ ପାଳିତା ମା’ ଆଦୌ ମନା କରିଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ମହିଳାଙ୍କୁ ଥାନାକୁ ଆଣି ମଞ୍ଚେଶ୍ୱର ପୋଲିସ୍‌ ପଚରାଉଚରା କରିଥିଲା। ଶେଷରେ ଝିଅକୁ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରି CWCକୁ ଚିଠି ଲେଖା ଯାଇଛି। 

ଝିଅ ଯେଉଁଠି ରହିବ ଆମେ ଖୁସି ବୋଲି ସନ୍ତୋଷ ଓ ମନ୍ଦୋଦରି କହିଥିବା ବେଳେ ପାଳିତ ମାଆ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଜନ୍ମ କଲା ମା’ ମନ୍ଦୋଦରି କହିଛନ୍ତି, ‘ମୋ ଛୁଆକୁ ଫେରି ପାଇଲେ ମୁଁ ବହୁତ ଖୁସି ହେବି। ମୋ ଜୀବନର ସବୁ ଖୁସି ମୋତେ ମିଳିଯିବ। ୮ ବର୍ଷ ହେଲାଣି ମୁଁ ମୋ ଛୁଆକୁ ଦେଖିନି।’

ସେପଟେ ପାଳିତ ମା’ ଟୁନି କହିଛନ୍ତି, ‘୯ ବର୍ଷ ହେଲାଣି ଝିଅକୁ ମୁଁ ପାଖରେ ରଖିଛି। ସ୍କୁଲ୍‌ରେ ପାଠ ପଢ଼ାଇଲି, ବ୍ୟାଙ୍କ ଖାତା ଖୋଲିଲି। ଏବେ ଏମିତି କହିଲେ କେମିତି ହେବ?’