Advertisment

ପେଟ୍ରୋଲ-ଡିଜେଲ କମିଲା, LPG କେବେ..?

ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
LPG price hike

LPG price hike

ଭୁବନେଶ୍ୱର: ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ । ଏପଟେ ଏଲ୍ପିଜି ବିତରକ ସଂଘ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଉପରେ ନିର୍ଭର କରୁଥିବା ବହୁ ଗ୍ରାମୀଣ ବିତରକ ବେପାର ଛାଡ଼ିଦେଲେଣି । ତେଲ ଦର କମିଲା କିନ୍ତୁ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି । ଦରବୃଦ୍ଧି ରାଜନୀତିରେ ବି ଲାଗିଛି ସାମୟିକ ବିରାମ । କିନ୍ତୁ ଖାଉଟି ଏବେ ବି ଯନ୍ତ୍ରଣାରେ ଛଟପଟ ।

Advertisment

ଗୃହିଣୀଙ୍କୁ ଘାରିଲାଣି ଗ୍ୟାସ୍ ଦର ଚିନ୍ତା । ତେବେ ବିଗିଡ଼ିଗଲାଣି ରୋଷେଇ ଘରର ବଜେଟ୍ । ଗତ ବର୍ଷକ ଭିତରେ ୫୦% ମହଙ୍ଗା ହେଲାଣି ରନ୍ଧନ ଗ୍ୟାସ ବା ଏଲ୍ପିଜି ଦର । ୨୦୨୦ ଅକ୍ଟୋବରରେ ଏଲ୍ପିଜି ସିଲିଣ୍ଡର ଦାମ ଥିଲା ୬୨୦ ଟଙ୍କା ୫୦ ପଇସା । ହେଲେ ବର୍ଷକରେ ୩୦୬ ଟଙ୍କା ବଢ଼ି ଚଳିତ ମାସରେ ଏଲ୍ପିଜି ପହଞ୍ଚିଛି ୯୨୬ ଟଙ୍କାରେ । ଗୃହିଣୀଙ୍କ ଅଭିଯୋଗ ଏହା ଯେ ପୂର୍ବରୁ ୬୦୦ରୁ ୬୫୦ ଟଙ୍କାରେ ଗ୍ୟାସ୍ ମିଳିଯାଉଥିଲା, ସେଥିରେ ପୁଣି ପାଖାପାଖି ୨ ଶହ ଟଙ୍କା ସବସିଡି ଆକାରରେ ବ୍ୟାଙ୍କ ଆକାଉଣ୍ଟକୁ ଫେରିଆସୁଥିଲା । ହେଲେ ଏବେ ଏଲ୍ପିଜି ଦର ହଜାରେ ଟଙ୍କାକୁ ମୁହାଁଇଲାଣି । ଏପଟେ ସବ୍ସିଡି ପରିମାଣ ବି ୧୩ ଟଙ୍କା ୯୫ ପଇସାକୁ ଖସିଆସିଛି । ଦର ଏମିତି ବଢ଼ିଯାଇଛି ଯେ, ସେମାନେ ଏବେ ମନଖୋଲି ରୋଷେଇ ମଧ୍ୟ କରିପାରୁନାହାନ୍ତି ।

Advertisment

କେବଳ ଗୃହିଣୀ ନୁହଁ, ମହଙ୍ଗା ଗ୍ୟାସ୍ ମାଡ଼ରେ ତ୍ରାହି ତ୍ରାହି ଡାକିଲେଣି ହୋଟେଲ୍ ବ୍ୟବସାୟୀ । ଚଳିତ ମାସ ଆରମ୍ଭରେ ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦାମ ଏକକାଳୀନ ୨୬୬ ଟଙ୍କା ବଢ଼ାଇଛନ୍ତି ତୈଳ । କମ୍ପାନି ହୋଟେଲ, ରେସ୍ତୋରାଁଟ ମାଲିକଙ୍କ କହିବା କଥା ଯେ ସେମାନଙ୍କ ବ୍ୟବସାୟରେ ଏଲ୍ପିଜି ଏକ ପ୍ରମୁଖ କଞ୍ଚାମାଲ, ଯେହେତୁ ଏହାର ଦାମ ଢେର୍ ବଢ଼ିଯାଇଛି, ସେମାନଙ୍କୁ ନିଜ ଖାଦ୍ୟ ସାମଗ୍ରୀ ଦର ବଢ଼ାଇବାକୁ ପଡ଼ିଛି, ଯାହାକି ସିଧାସଳଖ ଖାଉଟିଙ୍କ ଉପରେ ପ୍ରଭାବ ପକାଉଛି ।

ଏପଟେ ଏଲ୍ପିଜି ବିତରକ ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ କହିବା କଥା ଯେ, ଏଲ୍ପିଜି ଦର ବୃଦ୍ଧି କେବଳ ଗୃହିଣୀଙ୍କୁ ନୁହେଁ, ବରଂ ସେମାନଙ୍କ ପେଟକୁ ବି ନାତ ମାରିଛି । ଦର ବଢ଼ିଯିବା ଯୋଗୁ ଲୋକେ ଗ୍ୟାସ୍ କିଣିବା କମାଇ ଦେଇଛନ୍ତି । ସହରୀ ବିତରକ ତ ଚଳିଯାଉଛନ୍ତି, କିନ୍ତୁ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ଉପରେ ନିର୍ଭରଶୀଳ ଗ୍ରାମାଞ୍ଚଳ ବିତରକଙ୍କ ସ୍ଥିତି ବହୁତ ଖରାପ ରହିଛି । ତେବେ ଅନେକ ବିତରକ ବ୍ୟବସାୟ ମଧ୍ୟ ଛାଡ଼ି ଦେଲେଣି ।

ସେପଟେ ଏଲ୍ପିଜି ଦରକୁ ନେଇ ସମାଲୋଚନା କରିଥିବା ବିଜେଡିକୁ କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ ଟୁଇନ୍‌ସିଟିରେ ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ଆରମ୍ଭ କରାଯାଇଥିଲା । କିନ୍ତୁ ପାଇପଲାଇନ୍ ବିଛାଇ ପାରିଲେନି ରାଜ୍ୟ ସରକାର । ଏପରିକି ୧୯ ଜିଲ୍ଲା ପାଇଁ ଉର୍ଜ୍ଜା ଗଙ୍ଗା ପ୍ରୋଜେକ୍ଟ କ୍ଷେତ୍ର ପ୍ରତି ବି ରାଜ୍ୟ ସରକାର ଧ୍ୟାନ ଦେଉନାହାଁନ୍ତି । ତେଣୁ ଗ୍ୟାସ୍ ଦର ପ୍ରସଙ୍ଗରେ ବିଜେଡି ଯେଉଁ ଅଭିଯୋଗ ଆଣୁଛି, ତା ଉପରେ ବିଜେପି ତର୍କ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସମୀର ମହାନ୍ତି । ୧୦ ଦିନ ମଧ୍ୟରେ ଗ୍ୟାସ ଦର ନକମିଲେ ବିଜେଡି ମଧ୍ୟ ରାଜରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଉଛି । ତେବେ ସମୀର ମହାନ୍ତିଙ୍କ ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ରିପୋର୍ଟର-ବିଶ୍ୱଜିତ ଆଚାର୍ଯ୍ୟ, ଅଶୋକ ବ୍ରହ୍ମା, କପିଳେନ୍ଦ୍ର ପ୍ରଧାନ

Odisha LPG Price Hike
Advertisment
Advertisment