• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ ଖାଉଛି ସିଏ ବାରମ୍ବାର ଖାଇବାକୁ ମନ କରୁଛି । କାରଣ ଏଠାରେ କୌଣସି ରସାୟନିକ ସାର ନୁହେଁ ବରଂ ପୂରା ଜୈବିକ ପଦ୍ଧତିରେ ଫଳୁଛି ସପୁରୀ ।

ମେଂଚା ମେଂଚା ସପୁରୀ ଫଳୁଛି । ସକାଳୁ ସଂଜଯାଏ ବିକ୍ରି କରିଯାଉଛି । ହେଲେ ଯାହା ବଳିଲା ତାକୁ ସଂରକ୍ଷିତ କରି ରଖିବାକୁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଫଳ ଫଳିବା ପରେ ବି ଚିନ୍ତାରେ ବେପାରୀ । ନିୟମଗିରି ପାହାଡରେ ଏବେ ସପୁରୀ ବହୁ ପରିମାଣରେ ଫଳୁଛି । ସ୍ଥାନୀୟ ଡଙ୍ଗରିଆ କନ୍ଧମାନେ ପରିଶ୍ରମ କରି ବଗିଚାରେ ଫଳାଇଛନ୍ତି ସପୁରୀର ସୁନାର ଫସଲ । ପାହାଡିଆ ଅଂଚଳ ହେବା ପରେ ବି ପ୍ରବଳ ମାତ୍ରାରେ ସପୁରୀ ଫଳୁଛି । କେବଳ ଏ ବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ଏମାନେ କରନ୍ତି ସପୁରୀ ଚାଷ । ଖାଲି ଚାଷ କରୁଛନ୍ତି ତାହା ନୁହେଁ ବରଂ ବଜାରରେ ଏହାକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରନ୍ତି ।

ସପୁରୀ ପାଚିବା ପରେ ବଜାରରେ ବିକ୍ରି କରି ପରିବାର ଚଳାନ୍ତି ସେମାନେ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଭଲରେ ସପୁରୀ ବିକ୍ରି ହେଉନଥିବା ଅଭିଯୋଗ କରିଛନ୍ତି ଡଙ୍ଗରିଆ କନ୍ଧ । ଅଭିଯୋଗ ଖାଲି ଏତିକି ନାହିଁ ବରଂ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ପାହାଡ଼ ଉପରେ ରହିଥିବା ଅନାବନା ଗଛକୁ କାଟି ନିଆଁ ଲଗାଇ ଦିଅନ୍ତି ଡଙ୍ଗରିଆ କନ୍ଧ । ନିଆଁ ଲାଗିବା ପରେ ଯେଉଁ ପାଉଁଶ ବାହାରେ ତାକୁ ଖତ ରୂପେ ବ୍ୟବହାର କରି ମାଟିକୁ ଉର୍ବର କରନ୍ତି, ପରେ ସେଠାରେ ସପୁରୀ ଲଗାନ୍ତି ।

ଆଉ ଫଳ ପାଚିବା ପରେ ସାଧାରଣତଃ ପଡୋଶୀ ରାୟପୁରର ବେପାରୀ ଏଠାରେ ଡେରା ପକାନ୍ତି ଓ ସପୁରୀ କିଣନ୍ତି । ହେଲେ ଏଥର ବେପାର ମାନ୍ଦା ଥିବାରୁ ଯାହାକୁ ୮୦ ଟଙ୍କାରେ ବିକ୍ରି କରୁଥିଲେ ଆଜି ତାକୁ ମାତ୍ର ୧୫ ଟଙ୍କାରେ ବିକ୍ରି କରୁଛନ୍ତି ସ୍ଥାନୀୟ ଲୋକେ । ତେଣୁ ଉପଯୁକ୍ତ ବଜାର ବ୍ୟବସ୍ଥା କଲେ ସପୁରୀ ଭଲ ବିକ୍ରି ହେବା ସହିତ ରୋଜଗାର ଭଲ ହୁଅନ୍ତି ବୋଲି କହିଛନ୍ତି ସ୍ଥାନୀୟ ଅଂଚଳର ଲୋକେ । ସେପଟେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ କହିଛନ୍ତି, ଖୁବଶୀଘ୍ର ସେମାନଙ୍କର ଦାବି ପୂରଣ ହେବ ।

 

  • Reported by:
  • Maudi Barik