• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୂଚନାଫଳକରେ ପିସି କାରବାର ଲେଖାଯିବା ହୁଏତ ଆପଣ ଦେଖିନଥିବେ । ହେଲେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଖୁଲମଖୁଲା ଚାଲିଛି ପିସି କାରବାର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏନସିଆରର ୧୨ ନମ୍ୱର ୱାର୍ଡ ଅନ୍ତର୍ଗତ ଅରବିନ୍ଦ ନଗରର ସର୍ବସାଧାରଣରେ ଥିବା ଏକ ସୂଚନା ଫଳକରେ ଖୁଲମ୍‌ଖୋଲା ପିସି ମୂଲ୍ୟ ଲେଖାଯାଇଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏଠାରେ ନା ଅଛି ଡର ନା ଅଛି କୌଣସି ଭୟ ।

ସୂଚନା ଅନୁସାରେ, ଏକ ଉନ୍ନୟନ କାମ ସମ୍ପାଦନ ପରେ ଦୀର୍ଘଦିନ ଧରି କାମ ବାବଦ ବିଲ ପୈଠ ନ ହେବାରୁ ଜଣେ ଠିକାଦାର କାର୍ଯ୍ୟସ୍ଥଳର କାନ୍ଥରେ ଏହି ସୂଚନା ଫଳକଟି ଲଗାଇଛନ୍ତି । କାହାକୁ କେତେ ଟଙ୍କା ଦିଆଯାଇଛି ତାହାର ଏକ ବିବରଣୀ ମଧ୍ୟ ଫଳକରେ ଉଲ୍ଲେଖ କରାଯାଇଛି । ଏହି ସୂଚନା ଫଳକଟି ୨୦୧୮ ମସିହାରୁ ଲେଖା ଯାଇଛି । ଏଥିରେ ଲେଖାଯାଇଛି ଯେ, ଠିକାଦାର ଜଣକ ଯନ୍ତ୍ରୀଙ୍କୁ ୨୭ ହଜାର ଟଙ୍କା ପିସି ଦେଇଛନ୍ତି ।

ପ୍ରକାଶ ଥାଉ କି, କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଦ୍ୱାରା ନଗର ଉନ୍ନୟନ ବିଭାଗର ଉନ୍ନତି ଯୋଜନାରେ ପ୍ରାୟ ୨ ଲକ୍ଷ ୭୫ହଜାର ୬୫୭ ଟଙ୍କା ବ୍ୟୟ ଅଟକଳରେ ଅରବିନ୍ଦନଗର ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଇଥିଲା । ଏହି କାମରେ ନିୟୋଜିତ ଠିକାଦାର ଜଣକ ବାହାର ଲୋକ ଥିବାରୁ ସେ ଉକ୍ତ ବ୍ଲକର ଅନ୍ୟଜଣକୁ ପେଟି ଠିକାଦାର କାମ ଦେଇଥିଲେ। ନିର୍ମାଣ କାମ ସାରିଥିଲେ ମଧ୍ୟ ପେଟି ଠିକାଦାରଙ୍କୁ ଆଉ ୬୦ ହଜାର ଟଙ୍କା ନ ମିଳିବାରୁ ଏଯାବତ୍ ସେ ଭକ୍ତ କୋଠାକୁ ନିଜ ହେପାଜତରେ ରଖିଥିବା ସହ କାମରେ କ୍ଷତି ହୋଇଥିବାରୁ ବକେୟା ଅର୍ଥ ପ୍ରଦାନ କରିପାରୁ ନାହାଁନ୍ତି ବୋଲି ପେଟି ଠିକାଦାରଙ୍କୁ ମୂଳ ଠିକାଦାର କହିଛନ୍ତି ।

ଅନ୍ୟପକ୍ଷରେ କୋଠା ନିର୍ମାଣ ସରିଥିବାରୁ ତୁରନ୍ତ ଏହାକୁ ଜନସାଧାରଣ ବ୍ୟବହାର ଲାଗି ହସ୍ତାନ୍ତର କରିବାକୁ ସ୍ଥାନୀୟ ଲୋକେ ଥାନାକୁ ଅବଗତ କରିଥିଲେ । ଏହା ସତ୍ତ୍ଵେ ଉନ୍ନୟନ କାମର ସୂଚନା ଫଳକ ପାଖରେ ପିସି ଏବଂ ଜିଏସଟି ଖର୍ଚ୍ଚ ବାବଦରେ କେତେ ଟଙ୍କା ଦିଆଯାଇଛି ତାହା ସାଧାରଣରେ ଲିଖତ ଭାବେ ସୂଚନା ଫଳକରେ ଦର୍ଶାଯାଇଛି । ତେବେ ଏହି ସୂଚନା ଫଳକରୁ ଜଣାପଡୁଛି ଯେ ଦୁର୍ନୀତିର ଚେର କେଉଁଯାଏଁ ଲମ୍ୱିଛି ।

ଉକ୍ତ ସୂଚନା ଫଳକ ମୂଳ ଠିକାଦାର କି ପେଟି ଠିକାଦାର ଲେଖିଛନ୍ତି ତାହା ଅସ୍ପଷ୍ଟ ରହିଛି । ହେଲେ ବ୍ଳକ ଓ ଏନଏସିରେ ‘ପିସି କାରବାର’ ଭଳି ଏକ ଆଇନ ବିରୁଦ୍ଧ କାର୍ଯ୍ୟ ଚାଲିଥିବାରୁ ଏହା ଏକ ଆଇନଗତ ମାନ୍ୟତା ପାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।