• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହାତରେ ଗରା, ବାଲଟି ଧରି ତରତର ହୋଇ ନିଇତି ଚାଲିଛନ୍ତି ଗାଁର ମହିଳାମାନେ । ଯେମିତି ପ୍ରଥମେ ପହଞ୍ଚିବାକୁ ପ୍ରତିଯୋଗିତା ସେମାନଙ୍କ ମଧ୍ୟରେ ନିଇତି ହେଉଛି । ଆଉ ସେ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏ ମୁଣ୍ଡଫଟା ଖରାରେ ସେମାନେ କୁଆଡେ ଯାଉଛନ୍ତି? କାହିଁକି ଯାଉଛନ୍ତି? ହେଲେ ଟାଣ ଖରାରେ ଏମିତି ଚାଲିକି ଯିବାର ପ୍ରକୃତ ସତ ଜାଣିଲେ ଆପଣ ବି ପ୍ରଶାସନକୁ ଦୋଷ ଦେବେ ।

ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି  । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି । ଏ ଭୟଙ୍କର ଗରମରେ ପାଣି ନମିଳିଲେ ବଞ୍ଚିବା ମୁସ୍କିଲ୍ ହୋଇଯିବ । ସେଥିପାଇଁ କି ସାନ କି ବଡ଼.. ସମସ୍ତେ ଲାଗିପଡ଼ିଛନ୍ତି ପାଣି ଯୋଗାଡରେ ।

ଆଶ୍ଚର୍ଯ୍ୟକର କଥା ହେଉଛି ଗାଁ ମୁଣ୍ଡରେ ଠିଆ ହୋଇଛି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପର ଆକାଶଛୁଆଁ ପାଣି ଟାଙ୍କି । ହେଲେ ତାହା ଅଚଳ ଅବସ୍ଥାରେ ରହିଛି । ମୋଟ ୧୭ ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୪ଟି ନଳକୂଅ ରହିଥିବାବେଳେ କେଉଁ ନଳକୂଅରୁ ଖରାପ ତ ଆଉ କେଉଁଠି ବିଲକୁଲ୍ ପାଣି ବାହାରୁନି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାର ଏଠାରେ ୨୦୧୬ରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କଲେ । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହେଲା, ହେଲେ ବିଜ୍ଞାପନ ଫଳକରେ ସବୁ ରହିଗଲା ।

ପାଣି ପାଇଁ ପ୍ରତିଦିନ କଷ୍ଟ ଭୋଗିବାକୁ ପଡୁଛି । ନିର୍ବାଚନ ଆସିଲେ ନେତା ପ୍ରତିଶୃତି ଦେଉଛନ୍ତି ହେଲେ ସମସ୍ୟାର ସମାଧାନ ହେଉନି ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ଲୋକେ ନାଳ ପାଣି ପିଇବା ଖବର ଦୁଃଖଦାୟକ । ଖୁବ୍ ଶୀଘ୍ର ବିଶୁଦ୍ଧ ପାଣି ଦିଆଯିବ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ।

 

  • Reported by:
  • RAMAKANTA MAHANANDA