• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଣ୍ଠୁଏ ଆଣ୍ଠୁଏ ପାଣିରେ ସ୍ୱାସ୍ଥ୍ୟସେବା । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି କୋଠା । ରୋଗୀ ମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ହସ୍ପିଟାଲରେ ଚାଲିଛି ଟିକାକରଣ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ନବଜାତ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର । ୮ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏକ ବିରାଟ କୋଠା । ସେଠାରେ ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଏ । ହେଲେ ବିଡ଼ମ୍ବନାର ବିଷୟ ନିମ୍ନମାନର କାମ ପାଇଁ ଏହି କୋଠାରୁ ପାଣି ଗଳୁଛି । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମିଲିଭଗତ ଯୋଗୁଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି ।

ଫଳରେ ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ଅତି ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଏହି ପାଣିରେ ପଡ଼ି ଜଣେ ଶିଶୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଏଠାରେ ଗରମ ଯୋଗୁଁ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ କରେଣ୍ଟ୍‌ ଚାଲିଯାଇଥିଲା । ବିଦ୍ୟୁତ ଚାଲିଯିବା ଯୋଗୁଁ ଅନ୍ଧାରି ଚିକିତ୍ସା କରାଯାଇଥିବା ଖବର ଆସିଥିଲା । ଆଉ ଏବେ ପୁଣି ଆଣ୍ଠୁଏ ପାଣିରେ ଚାଲିଛି ରୋଗୀ ସେବା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକାକରଣ କେନ୍ଦ୍ରରେ ଆଣ୍ଠୁଏ ପାଣିରେ ଚାଲିଛି ନବଜାତ ଶିଶୁଙ୍କ ଟିକାକରଣ ।

ସୁସ୍ଥ ହେବା ଆଶା ରଖି ଡାକ୍ତରଖାନାକୁ ଆସୁଥିବା ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ଏଭଳି ପରିବେଶରେ ‌ଅଧିକ ଅସୁସ୍ଥ ହୋଇପଡ଼ିବେ ବୋଲି କୁହାଯାଉଛି । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଏଭଳି ଅବସ୍ଥା ହୋଇଛି ବୋଲି ରୋଗୀ କଲ୍ୟାଣ ସମିତିର ପୂର୍ବତନ ସଦସ୍ୟ ବୁଲୁ ପଟ୍ଟନାୟକ କହିଛନ୍ତି । ସେପଟେ ହଜାର ହଜାର ଲୋକ ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇଁ ଦାବି ହେଉଛି ।