• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜବାବ ତଲବ କଲେ ହାଇକୋର୍ଟ । ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ କୋର୍ଟ ଜବାବ ତଲବ କରିଛନ୍ତି । ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ତିନିଟି ପ୍ରସଙ୍ଗ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କଣ ନିର୍ମାଣ ହେଉଛି ଜଣାନ୍ତୁ । ନିର୍ମାଣ କାଯର୍ୟ ପାଇଁ ଅନୁମତି ରହିଛି ନା ନାହିଁ । ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ ଜଣାଇବାକୁ କହିଛନ୍ତି କୋର୍ଟ । ଏପ୍ରିଲ ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ଖୁବ ଶୀଘ୍ର କମିଟି ବୈଠକ ଡକାଯିବ । ଶ୍ରୀମନ୍ଦିର ଗୃହ କମିଟି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ମନ୍ଦିର ପରିଚାଳନା କମିଟି ସଭାପତି ନିଯୁକ୍ତି ହୋଇଛନ୍ତି ଆଇନ ସଚିବ, ପୂର୍ତ୍ତ ସଚିବ ଓ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ହେବ । କମିଟିରେ ୮ଜଣ ସଦସ୍ୟ ଅଛନ୍ତି । ଗତ ୩୧ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ବିଧାୟକ ଦେବୀ ମିଶ୍ର, ନରସିଂହ ମିଶ୍ର, ଜୟନ୍ତ ଷଡଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ କମିଟିରେ ସଦସ୍ୟ ଅଛନ୍ତି । ଖୁବ ଶୀଘ୍ର ବୈଠକ ଡକାଯିବ କହିଛନ୍ତି ଗୃହ କମିଟି ଅଧ୍ୟକ୍ଷ ବାଚସ୍ପତି ସୂର୍ଯ୍ୟ ପାତ୍ର ।

ଅନ୍ୟପଟେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷକୁ ଚାଲିଥିବା ନିର୍ମାଣ କାମ ଏକ ଭୁଲ ନିଷ୍ପତ୍ତି ବୋଲି କହିଛି ବିଜେପି । ଖୋଳୁଥିଲ କଣ ପାଇଁ ? ମନ୍ଦିର ଭିତ୍ତିଭୂମିକୁ ଦୁର୍ବଳ କରିବା ପାଇଁ ଯୋଜନା କରୁଥିଲ କଣପାଇଁ ? ASIର ବିନା ଅନୁମତିରେ କାହିଁକି କାର୍ଯ୍ୟ କରୁଥିଲ ବୋଲି ପ୍ରଶ୍ନ କରିଛି ବିଜେପି । ପୁରୀ ସାଂସଦ ସଂସଦରେ ଯେଉଁ ASIର ଚିଠି କଥା କହୁଥିଲେ, ତାହା ଭୁଲ କଥା ଥିଲା ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାର ନିଜ ବିଚାରକୁ ପୁନଃବିଚାର କରିବାର ଆବଶ୍ୟକତା ରହିଛି ଓ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ରଖିବା ଦରକାର ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛି ଶ୍ରୀମନ୍ଦିର ପାଖ ଖୋଳାଗଲା କାହିଁକି ଓ ଏବେ ପୋତାଗଲା କାହିଁକି ? ASIର ଅନୁମତି ନେଇଥିଲେ କି ? ଏସବୁ ପ୍ରଶ୍ନର ଉତ୍ତର ସରକାର ରଖନ୍ତୁ ବୋଲି କଂଗ୍ରେସ କହିବା ସହ ଉଭୟ ବିଜେପି ଓ ବିଜେଡି ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି କହିଛି । ତେବେ ବିଜେପି ଓ କଂଗ୍ରେସର ଅଭିଯୋଗ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସଂସଦରେ ପୁରୀ ସାଂସଦଙ୍କ ମତ ପ୍ରସଙ୍ଗରେ ବିଜେପିର ଅଭିଯୋଗ ନେଇ ପୁରୀ ସାଂସଦଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।