• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୋଲିଲା ଶ୍ରୀମନ୍ଦିର । ପ୍ରାୟ ୩ ସପ୍ତାହର ବ୍ୟବଧାନ ପରେ ଭକ୍ତଙ୍କ ଲାଗି ଆଜିଠୁ ଖୋଲିଛି ଶ୍ରୀମନ୍ଦିର । କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜି ସକାଳ ପ୍ରାୟ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର ।

କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପୀବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା । ତେବେ ବର୍ତ୍ତମାନ, ସ୍ଥିତିରେ ସୁଧାର ଆସିଥିବାରୁ ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲାଯାଇଛି ଶ୍ରୀମନ୍ଦିର । ପ୍ରଥମ ଦିନରୁ ଭକ୍ତଙ୍କ ଗହଳି ଅନୁମାନ କରାଯାଉଥିବାରୁ ଏହା ପୂର୍ବରୁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ । ଭକ୍ତଙ୍କ ଲାଗି ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷେ, ପୂର୍ବଭଳି ଭକ୍ତମାନେ ଦୁଇଟି ଡୋଜ ଟିକାର ପ୍ରମାଣପତ୍ର କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ସେହିପରି ପୁରୀର ସ୍ଥାନୀୟ ବାସିନ୍ଦା ପଶ୍ଚିମ ଦ୍ୱାର ଦେଇ ମନ୍ଦିର ପ୍ରବେଶ କରିପାରିବେ । ଏହାସହ ପୂର୍ବ ଭଳି ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।

ସେହିପରି ଆଜିଠୁ ପୁଣି ଖୋଲିଲା ମାଆସମଲେଶ୍ୱରୀରଙ୍କ ମନ୍ଦିର । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କୋଭିଡ୍ କଟକଣା ଭିତରେ ମନ୍ଦିରକୁ ଖୋଲାଯାଇଛି । କଟକଣା ଭିତରେ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ ଏବଂ ଅପରାହ୍ନ ଗୋଟାଏରୁ ସଂଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତେବେ ମନ୍ଦିର ସାନିଟାଇଜେସନ ପାଇଁ ପ୍ରତି ଗୁରୁବାର ବନ୍ଦ ରହିବ।