• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମେ’୧୮ରୁ ପୁରୀ-ହାୱାଡ ରୁଟ୍‌ରେ ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ରେ ଯାତ୍ରା କରିବାକୁ ଶହଶହ ଲୋକ ଟିକେଟ୍‌ କରୁଛନ୍ତି । ହେଲେ ଏହି ନୂଆ ଟ୍ରେନ୍‌ରେ କଣ କଣ ଖାଇବାକୁ ମିଳୁଛି? କେତେ ଟଙ୍କାରେ ମିଳୁଛି? ତାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲିଛି ।

ବନ୍ଦେ ଭାରତ ଏକ୍ସପ୍ରେସ୍‌..ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କାରଣ ଏହାର ଭଡା ଅନ୍ୟ ଟ୍ରେନ୍‌ଠାରୁ ଭିନ୍ନ...ଏମିତିକି ବହୁ ଅଧିକ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହାୱଡା-ପୁରୀ ମଧ୍ୟରେ ଚେୟାର କାର୍‌ ଟିକେଟ୍‌ ୧୨୬୫ ଟଙ୍କା ଓ ଏକ୍‌ଜିକ୍ୟୁଟିଭ୍ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି । କିନ୍ତୁ ପୁରୀ-ହାୱଡା ମଧ୍ୟରେ ସେଇ ସମାନ ଗାଡ଼ିରେ ଚେୟାର କାର ଟିକଟ ୧୪୩୦ ଟଙ୍କା ଥିବାବେଳେ ଏକ୍‌ଜିକ୍ୟୁଟିଭ୍  ଚେୟାର ଟିକେଟ୍‌ର ଦର ୨୬୧୫ ଟଙ୍କା ରହିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଯାତ୍ରୀମାନେ ଏହି ଟ୍ରେନ୍‌ରେ ଯାତ୍ରା କଲା ବେଳେ ଭୋଜନ କରିବେ ନାହିଁ ତାହାଲେ ଟିକେଟ୍‌ର ଦାମ୍‌ କମିଯିବ । ହାୱଡ଼ାରୁ ପୁରୀ ଚେୟାର କାର୍‌ରେ ଯାଉଥିବା ଯାତ୍ରୀଙ୍କ ଟିକେଟରେ ଚା’, ଜଳଖିଆ ଓ ଭୋଜନ ପାଇଁ ୧୬୨ ଟଙ୍କା ଓ ଏକ୍‌ଜିକ୍ୟୁଟିଭ୍  ଚେୟାରରେ ଯାତ୍ରା ପାଇଁ ୧୯୫ ଟଙ୍କା ରଖାଯାଇଛି । ଅପରପକ୍ଷେ ପୁରୀରୁ ହାୱଡ଼ା ଚେୟାର କାର୍‌ରେ ଯାଉଥିବା ଯାତ୍ରୀଙ୍କ ଟିକେଟରେ ଚା’, ଜଳଖିଆ ଓ ଭୋଜନ ପାଇଁ ୩୨୮ ଟଙ୍କା ଓ ଏକ୍‌ଜିକ୍ୟୁଟିଭ୍  ଚେୟାରରେ ଯାତ୍ରା ପାଇଁ ୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ମାଟି ପାତ୍ରରେ ଚା’ ମିଳିବ । ଆଉ ଜଳଖିଆରେ ସିଙ୍ଗଡ଼ା, ମିଠା, ଜେଲି, ସାଣ୍ଡୱିଚ୍‌, ମୁଗ ପ୍ୟାକେଟ୍‌ ଓ ଚକୋ-ବିସ୍କୁଟ୍‌ ମିଳିବ। ସେହିପରି, ମଧ୍ୟାହ୍ନ ଭୋଜନରେ ଭାତ, ରୁଟି, ଡାଲି, ଆଚାର, ସନ୍ତୁଳା, ମିକ୍ସ ଭଜା ଆଦି ମିଳିବ । ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ ଓଡ଼ିଶାର ଖୋର୍ଦ୍ଧାରୋଡ୍‌, ଭୁବନେଶ୍ୱର, କଟକ, ଯାଜପୁର-ରୋଡ୍‌, ଭଦ୍ରକ ଓ ବାଲେଶ୍ୱର ଷ୍ଟେସନ୍‌ରେ ରହିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।