• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ପ୍ରସାଶନ ଜନତା ମୁହାଁମୁହିଁ ହୋଇଛନ୍ତି । ଏକ ଘଣ୍ଟାରୁ ଅଧିକ ସମୟ ଧରି ରାଜନଗର ବଜାର ଉପରେ ତହସିଲଦାରଙ୍କୁ ଅଟକ ରଖିଥିଲେ ଲୋକେ । ସରକାରୀ ଜାଗାରେ ଏକ କୋଠା ଘର ଭଙ୍ଗାଯିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି ।

ରାଜନଗର ବଜାର ଉପରେ ରାଜନଗରର ଘନଶ୍ୟାମ ପାଣି ନାମକ ଜଣେ ବ୍ୟକ୍ତି ଏକ ଦୁଇ ମହଲା କୋଠା ନିର୍ମାଣ କରୁଥିଲେ । ଆଜି ସେହିଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯିବା ସମୟରେ ଲୋକେ ବିରୋଧ କରିଥିଲେ । ଘନଶ୍ୟାମଙ୍କ ଅଭିଯୋଗ ଅନୁଯାୟୀ, ରାଜନଗର ତହସିଲଦାର ଟଙ୍କା ନେଇ ଆମକୁ ଘର କରିବାକୁ ଅନୁମତି ଦେଇଥିଲେ । ଫଳରେ ଆମେ ଘର ନିର୍ମାଣ କଲୁ, ତହସିଲଦାର ଆମକୁ ପୁଣି ଟଙ୍କା ମାଗୁଥିଲେ ଆମେ ନଦେବାରୁ ପୋଲିସ ଛିଡା କରି ଜୋରଜବରଦସ୍ତ ଆମ ଘର ଭାଙ୍ଗୁଛନ୍ତି । ଅନ୍ୟପଟେ ତହସିଲଦାର କହିଛନ୍ତି ଯେ, ସରକାରୀ ଜାଗାରେ ଘର ନିର୍ମାଣ ହେଉଥିବାରୁ ଏହାକୁ ଉଚ୍ଛେଦ କରାଯାଉଛି ।

ସେହିପରି ଖୋର୍ଦ୍ଧା ଜଙ୍କିଆ ଥାନା ଗୟାବନ୍ଧ ଛକରେ ଉଚ୍ଛେଦକୁ ନେଇ ମୁହାଁମୁହିଁ ସାଧାରଣ ଜନତା ଓ ପୋଲିସ ପ୍ରଶାସନ । ଖୋର୍ଦ୍ଧା ଜଙ୍କିଆ ଥାନା ଗୟାବନ୍ଧ ଛକରେ ଥିବା ସରକାରୀ ଜାଗା ଜବରଦଖଲ କରି ନିର୍ମିତ ହୋଇଥିବା ଦୋକାନ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ସରକାରୀ ଜମିରେ ତିଆରି ହୋଇଥିବା ୧୬ ଟି ଦୋକାନ ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ସରକାରୀ ନୋଟିସ ପାଇବା ପରେ ଏହାର ପ୍ରତିବାଦ କରି ଶତାଧିକ ଲୋକ ଉଚ୍ଛେଦକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଏସ୍‌ଡିପିଓ, ତହସିଲଦାରଙ୍କ ସହ ୨ ପ୍ଲାଟୁନ ଫୋର୍ସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପୋଲିସ ସହିତ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା । ଶେଷରେ ପୋଲିସ ବଳ ପ୍ରୟୋଗ କରି ଲୋକଙ୍କୁ ଘଉଡାଇବା ସହ ଦୋକାନ ଘର ଭାଙ୍ଗିବା କାମ ଆରମ୍ଭ କରିଥିଲା । ଏଯାଏଁ ୮ଟି ଦୋକାନ ଘର ଭଙ୍ଗା ଯାଇଥିବା ବେଳେ ଆଗକୁ ଅନ୍ୟ ଜବରଦଖଲରେ ଥିବା ଦୋକାନ ଘର ଭଙ୍ଗାଯିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ କହିଛନ୍ତି ।