• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆମର ଦାବି ନାର୍ଯ୍ୟ ଦାବି ସରକାର ତୁମେ ମାନିନିଅ...କିଛି ଏମିତି ନାରା ଦେଇ କଲେଜ୍‌ରୁ ବାହାରୁଛନ୍ତି ଛାତ୍ରଛାତ୍ରୀ । ଏମିତି କିଛି ଦେଖିବା ପରେ ସମସ୍ତେ କହିବେ ସେମାନେ ବୋଧହୁଏ କଲେଜ୍‌ରେ କୌଣସି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରୁଛନ୍ତି । ଆଉ ଦାବି ପୂରଣ ଲାଗି ରାଲି ବି କରୁଛନ୍ତି । ହେଲେ ଘଟଣା ତାହା ନୁହେଁ...କାହାଣୀ ପଛର ସତ ଜାଣିଲେ ଆପଣ ବି ସେମାନଙ୍କୁ ସଲାମ୍‌ କରିବାକୁ ବାଧ୍ୟ ହେବେ ।

ପଚପଚ କାଦୁଆ ରାସ୍ତାରେ ଶହଶହ ଲୋକେ ଯିବାଆସିବା କରୁଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ରାସ୍ତାରେ ଯିବା ସମୟରେ କେତେବେଳେ ଦୁର୍ଘଟଣା ଘଟିବ ସେନେଇ କିଛି କହିବା ମୁସ୍କିଲ ଥିଲା । ରାସ୍ତା ମରାମତି ଲାଗି ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିଥିଲେ ସ୍ଥାନୀୟ ବାସିନ୍ଦା ଓ  ରାସ୍ତାରେ ନିତିଦିନ ଯାଆସ କରୁଥିବା ଛାତ୍ରଛାତ୍ରୀ । ହେଲେ ନିଦାବିଷ୍ଣୁ ସାଜିଥିଲା ପ୍ରଶାସନ । ଯାହାକୁ ନେଇ ତେଜିବାରେ ଲାଗିଲା ଅସନ୍ତୋଷ ।

ପ୍ରଶାସନ ଶୁଣିଲାନି, ରାସ୍ତା ତିଆରି କରିବାକୁ ଅଂଟା ଭିଡିଲେ ଛାତ୍ରୀ । କୋଦାଳ ଧରି କାଦୁଅ ରାସ୍ତାକୁ ସଫା କଲେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବଡପଡା ମହାବିଦ୍ୟାଳୟ ଛାତ୍ରୀ l ଖାଲି ରାସ୍ତା ସଫା କଲେ ତାହା ନୁହେଁ ବରଂ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ବି କଲେ । ପିଲାଙ୍କ ଅଭିଯୋଗ ଅନୁସାରେ, ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ବାରମ୍ବାର ଦୁର୍ଘଟଣା ହେଉଛି । ତେଣୁ ରାସ୍ତା ତୁରନ୍ତ କରିବାକୁ ପ୍ରଶାସନକୁ ଘେରିବା ସହିତ ରାସ୍ତା ରୋକ୍‌ ବି କରିଥିଲେ ।

ପିଲାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରୁ ଧାରଣାସ୍ଥାଳରେ ପହଞ୍ଚିଥିଲେ ସରପଂଚ ଓ ରାଜସ୍ୱ ନିରୀକ୍ଷକ । ରାସ୍ତା କାମ ୭ ଦିନ ମଧ୍ୟରେ ହେବ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ସାଙ୍ଗେ ସାଙ୍ଗେ ରାସ୍ତା ନିର୍ମାଣ କରିବାକୁ ଜିଦ୍‌ କରିଥିଲେ ଛାତ୍ରୀ । ତେଣୁ ଉପାୟଶୂନ୍ୟ ହୋଇ ଜେସିବି ଡକାଇ ରାସ୍ତାରୁ କାଦୁଅ ସଫା କରିବା ସହିତ ତୁରନ୍ତ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି କହିଥିଲେ ।

ରାସ୍ତା ନିର୍ମାଣ କରିବା ଲାଗି ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଥିଲେ ହେଲେ କିଛି ସୁଫଳ ମିଳିନଥିଲା । କିନ୍ତୁ ଛାତ୍ରୀମାନେ ଅଂଟା ଭିଡି ଏକ୍‌ ହେଲେ, ଆଉ ପ୍ରଶାସନକୁ ରାସ୍ତା କରିବା ଲାଗି ବାଧ୍ୟ କଲେ । ଯାହାକୁ ନେଇ ଛାତ୍ରୀଙ୍କୁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ ।

  • Reported by:
  • PRABIR KUMAR NAYAK