• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ । ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଡ୍ରେସ୍‌ ଓ ଜୋତା ମଧ୍ୟ ଦିଆଯାଉଛି । ହେଲେ ବାଲେଶ୍ୱର ଜଳେଶ୍ୱରରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା ।

ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅଭିଭାବକଙ୍କ ସଙ୍ଗୀନ ଅଭିଯୋଗ । ସରକାରଙ୍କ ପକ୍ଷରୁ ପିଲାଙ୍କ ଲାଗି ମିଳୁଥିବା ଚାଉଳ, ଜୋତା, ଡ୍ରେସ୍‌କୁ ପିଲାଙ୍କୁ ବଣ୍ଟାନଯାଇ ନିଜ ପକେଟ୍‌ରେ କୁଆଡେ ରଖୁଥିଲେ ପ୍ରଧାନ ଶିକ୍ଷକ । ମାସେ କି ଦୁଇ ମାସ ନୁହେଁ ବରଂ ୪ ମାସରୁ ଅଧିକ ସମୟ ଧରି ଏମିତି ସରକାରୀ ଯୋଜନାର ହରିଲୁଟ୍‌ କରିଛନ୍ତି ପ୍ରଧାନ ଶିକ୍ଷକ । ପୂରା ଘଟଣାର ସତ ସାମ୍ନାକୁ ଆସିବା ପରେ ଏହାକୁ ନେଇ ତେଜୁଛି ଅସନ୍ତୋଷ ।

ବାଲେଶ୍ୱର ଜଳେଶ୍ଵର ବ୍ଲକ କାଳିକ ପଂଚାୟତର ହାତୀଗଡ ଉଚ୍ଚ ବିଦ୍ୟାଳୟରେ ଚାଲିଛି ହରିଲୁଟ୍‌ । ସ୍କୁଲରେ ଅଷ୍ଟମଠାରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ୨୦୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସ୍କୁଲଟି ଫାଇଭ୍‌-ଟି ରେ ବି ସାମିଲ ହୋଇଛି । ହେଲେ ସ୍କୁଲର ପ୍ରଧାନଶିକ୍ଷକ ବଂଶୀଧର ବାରିକ୍ ୨୦୨୧-୨୨ ଆର୍ଥିକ ବର୍ଷରେ କରୋନା ପାଇଁ ସ୍କୁଲ ଛୁଟି ଘୋଷଣା କରିଥିଲେ । କରୋନା ସମୟରେ ସରକାରଙ୍କ ପକ୍ଷରୁ ପ୍ରତିପିଲା ପିଛା ୧୦କେଜି ୫୦୦ ଗ୍ରାମ ଚାଉଳ ସହ ୨୦୧୯ ଟଙ୍କା ଦିଆ ଯାଉଥିଲା । କିନ୍ତୁ ୨୦୨୧/୨୨ଆର୍ଥିକ ବର୍ଷରେ ପଢୁଥିବା ୪୦ଜଣ ପିଲା ଏ ପର୍ଯ୍ୟନ୍ତ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ଖାଲି ଏତିକି ନୁହେଁ ବରଂ ପିଲାଙ୍କୁ ଦୁଇ ହଳ ଲେଖାଏଁ ଡ୍ରେସ୍‌ ଦିଆଯିବାର ନିୟମ ଥିବା ବେଳେ ମିଳିଛି ମାତ୍ର ହଳେ । ଏହାସହ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ପ୍ରତି ଶନିବାର ବନ୍ଦ ରହୁଛି ମଧ୍ୟାହ୍ନ ଭୋଜନ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଠ ପଢାଇବାକୁ ମାସକୁ ମୋଟା ଅଙ୍କର ଟଙ୍କା ଆଦାୟ ହେଉଥିବା ଅଭିଯୋଗ ବି ହୋଇଛି । ହାତୀଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପରିଚାଳନା କମିଟି ଏବଂ ଗାଁ ଲୋକେ ଘେରିବା ପରେ ଘଟଣାର ତଦନ୍ତ ପାଇଁ ABEO ସୁଶାନ୍ତ ଜେନା ଜେନା ପହଂଚି ଥିଲେ । ଆଉ କହିଥିଲେ ଅଭିଯୋଗ ସତ । ଲିଖିତ ଭାବରେ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେପଟେ ପ୍ରଧାନଶିକ୍ଷକ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପିଲାଙ୍କ ଟଙ୍କା ଆତ୍ମସାତ୍‌ କରିବାକୁ ପ୍ରଧାନ ଶିକ୍ଷକ ସାହସ କଲେ କେମିତି ? କେବେ ହେବ କାର୍ଯ୍ୟାନୁଷ୍ଠାନ ? ପିଲା ଫେରି ପାଇବେ ତ ପୂର୍ବ ଅନୁଦାନ ?

 

  • Reported by:
  • Ajit Das