/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669710686.jpg)
teacher protest
‘ଦାବି ପୂରଣ କର, ନହେଲେ ପଦ୍ମପୁର ଭୋଟ୍ ପରିଣାମକୁ ଅପେକ୍ଷା କର । ଅହୋରାତ୍ର ଆନ୍ଦୋଳନର ତୃତୀୟ ଦିନରେ ବି ରାଜଧାନୀରେ ଏଭଳି ଗର୍ଜନ କରିଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ନ ହଟିବାକୁ ଚେତାବନୀ ଦେଇଛନ୍ତି । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ତିନି ଦଫା ଦାବି ନେଇ ୩ ଦିନ ହେଲା ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ଆନ୍ଦୋଳନରତ ଶିକ୍ଷକଙ୍କ ରଣହୁଙ୍କାରରେ ବିଧାନସଭା ସାମ୍ନା କଂପୁଥିଲା ବେଳେ ଆଜି ବି ପ୍ରସଙ୍ଗକୁ ନେଇ ବିଧାନସଭା ଗୃହକୁ ହୁଲୁସ୍ତୁଲ କରିଛନ୍ତି ବିରୋଧୀ ।
ସେପଟେ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହେଲା ଗୃହ । ଆଜି ପ୍ରଶ୍ନକାଳ ଆରମ୍ଭରୁ ହିଁ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଶିକ୍ଷକଙ୍କ ସହ ଆଲୋଚନା କରିନଥିବାରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ ।
ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀଙ୍କ ନାରାବାଜି ଯୋଗୁ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି । ତା ପରେ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ପ୍ରଚାର କରୁଥିବାବେଳେ ଶିକ୍ଷକଙ୍କ ସମସ୍ୟାକୁ ନ ବୁଝିବା ନିନ୍ଦନୀୟ ବୋଲି କହିଛନ୍ତି ବିରୋଧୀ ଦଳ ସଚେତକ ମୋହନ ମାଝି ।
ଅନ୍ୟପଟେ, ବାଚସ୍ପତିଙ୍କ ରୁଲିଂକୁ ଯେଉଁ ସରକାର ମାନୁ ନାହାନ୍ତି ସେହି ସରକାର ରହିକି ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଶିକ୍ଷକଙ୍କ ଦାବି ନେଇ ସରକାର ସଚେତନ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)