Advertisment

ସୁପ୍ରିମ୍‌ କମାଣ୍ଡରଙ୍କୁ ପାଖରେ ପାଇ ଭାବବିହ୍ୱଳ ପାହାଡ଼ପୁର

ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।

ଅଦ୍ୟତନ ହୋଇଛି
undefined

President Murmu arrives in Odisha on a three-day visit

Advertisment

ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। କାରଣ ମାଟିର ଝିଅ ଘରକୁ ଫେରିଛି। ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡ଼ାମ ପ୍ରେସିଡେଣ୍ଟଙ୍କୁ ଭେଟିବା ପାଇଁ ଏବଂ ତାଙ୍କର ଝଲକ ପାଇବା ପାଇଁ କିଏ ପାଚେରୀ କଡ଼ରେ ତ ଆଉ କିଏ ଗଛ ଡାଳରେ ଚଢ଼ି ଅପେକ୍ଷାରତ। ଆଉ ମହାମହିମ ପହଞ୍ଚିବା କ୍ଷଣି ଏବଂ ତାଙ୍କର ଦର୍ଶନ ପାଇ ସବୁରି ମନ କୁଣ୍ଢେମୋଟ।

Advertisment

ସ୍ୱାମୀ ଶ୍ୟାମଚରଣ ଓ ୨ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ଏବଂ ତାଙ୍କର ନାମକରଣରେ ନିର୍ମିତ ଏସଏଲଏସ୍ ଆବାସିକ ସ୍କୁଲକୁ ପ୍ରଥମେ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ସମସ୍ତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏସଏଲଏସ ଟ୍ରଷ୍ଟ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ଏହି କୋଠରୀରେ ଏବଂ ଏହି ଖଟରେ କିଛି ସମୟ ବସି ପଇଡ଼ ପିଇଥିଲେ। ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଭେଟି ଭଲ ମନ୍ଦ ପଚାରିଥିଲେ।

ଅଧିକ ପଢ଼ନ୍ତୁ: ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment

ଭାଇ ଭାଉଜଙ୍କଠୁ ଆରମ୍ଭ କରି ମାମୁ ମାଇ, ଦାଦା ଖୁଡ଼ି, କେତେ କ’ଣ ସମ୍ପର୍କୀୟଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଛି ରାଷ୍ଟ୍ରପତିଙ୍କ ସଂଘର୍ଷର କାହାଣୀ କହୁଥିବା ପାହାଡ଼ପୁର ଗାଁ। ଏସ୍ଏଲଏସ୍ ଆବାସିକ ସ୍କୁଲକୁ ପହଞ୍ଚିଥିଲେ ୧୨୦ ଜଣ ସମ୍ପର୍କୀୟ। ଦେଶର ସର୍ବୋଚ୍ଚ ପଦରେ ଥିଲେ ବି ସେ ଯେହେତୁ ପରିବାରର ସୁନା ଝିଅ, ତେଣୁ ପାରିବାରିକ ସମ୍ପର୍କ ଆଧାରରେ ସମସ୍ତଙ୍କୁ ଭେଟିଥିଲେ ଦ୍ରୌପଦୀ। ଖାଲି ଭେଟିନଥିଲେ ସମ୍ପର୍କର ଆବେଗ ଭିତରେ ଭଲ ମନ୍ଦ ପଚାରି ଭାବବିହ୍ବଳ ହୋଇଥିଲେ। ସାଙ୍ଗରେ ଆଣିଥିବା ଲୁଗାପଟା, ପିଠା ମିଠା ସହ ମନ ପସନ୍ଦର ଉପହାର ବି ଭେଟିଦେଇଥିଲେ ସଂପର୍କୀୟ ଏବଂ ଛୋଟ ଛୋଟ ପିଲାଙ୍କୁ।

ରାଷ୍ଟ୍ରପତିଙ୍କ ଭାଇ ତରଣୀ ସେନ ଟୁଡୁଙ୍କୁ କହିବା କଥା, ସେ ନିଜ ଭଉଣୀ ପାଇଁ ମନପସନ୍ଦର ପଖାଳ ଭାତ ସହ ବଡ଼ିଚୁରା, ଶାଗଭଜା ବି ପ୍ରସ୍ତୁତ କରିଥିଲେ। କିନ୍ତୁ ସମୟ ଅଭାବରୁ ଖୁଆଇବା ସମ୍ଭବ ହୋଇପାରିଲାନି। ରାଷ୍ଟ୍ରପତି ଦ୍ରୌପଦୀଙ୍କ ମାମୁ ଆଉ ସମ୍ପର୍କୀୟ ସମୁଦି ସେମାନେ ବି ନିମନ୍ତ୍ରଣ ପାଇ ପହଞ୍ଚିଥିଲେ ପାହାଡ଼ପୁର ଗାଁକୁ।

Advertisment

ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ବାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ। ଦୌପଦୀ ଯେହେତୁ ପାହାଡ଼ପୁର ଗାଁର ବୋହୂ, ତେଣୁ ବୋହୂକୁ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ବି କାହିଁରେ କେତେ। ଏସବୁ ଭିତରେ ମାଡ଼ାମ ପ୍ରେସିଡେଣ୍ଟ, ସମସ୍ତଙ୍କୁ ଭଲ ମନ୍ଦ ପଚାରିବା ସହ ଗାଁରେ ଛତୁଚାଷ କରିବାକୁ ଛତୁମଞ୍ଜି ସହ କିଛି ସାମଗ୍ରୀ ପ୍ରଦାନ କରିଥିଲେ।

President Of India Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ