• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋରୁଗାଈଙ୍କ ଆଖିର ଭାଷାକୁ ପଢ଼ିପାରନ୍ତି ସେ । ବୁଝିପାରନ୍ତି ସେମାନଙ୍କ ମନର ବେଦନା । ନିସ୍ୱାର୍ଥପର ଗୋ-ସେବା ପାଇଁ ଚର୍ଚ୍ଚାରେ ଭଦ୍ରକର ପ୍ରମୋଦ ଦାସ । ୧୦ ବର୍ଷ ହେଲା ସେ ହଜାରରୁ ଅଧିକ ଗୋରୁଗାଈଙ୍କ ସେବା ସୁଶ୍ରୁଷା ଓ ଚିକିତ୍ସା କରାଇସାରିଲେଣି । ନିଜ ପରିବାର, ଭବିଷ୍ୟତ, ସବୁକିଛି ଭୁଲି ନିରୀହ ଜୀବଙ୍କ ସେବାରେ ଲାଗିଥିବା ଏହି ଯୁବକଙ୍କ ପ୍ରଶଂସାରେ ଏବେ ଶତମୁଖ ଭଦ୍ରକବାସୀ ।

Pramod DasPramod Das

କେଉଁଠି ଗାଈ, ବଳଦ ଅବା ଷଣ୍ଢଟିଏ ସଂକଟରେ ପଡ଼ିଥିବା ଶୁଣିଲେ, ନିଜ ବାଇକ୍‌ରେ ବାହାରିଯାଆନ୍ତି ପ୍ରମୋଦ ଦାସ । ବର୍ଷେ କି ୨ ବର୍ଷ ନୁହେଁ, ୧୦ ବର୍ଷ ହେଲା ଏମିତି ଗୋସେବାରେ ମାତିଛନ୍ତି ଭଦ୍ରକ କୋଠାରର ପ୍ରମୋଦ ଦାସ । କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରମୋଦ ଦିନେ ନିଜ ଗାଁରୁ ଭଦ୍ରକ ସହରକୁ ଯାଇଥିବା ବେଳେ, ଏକ ଦୁର୍ଘଟଣାଗ୍ରସ୍ତ ଗାଈକୁ ଦେଖି ତାର ଚିକିତ୍ସା କରାଇଥିଲେ । କିଛି ଦିନ ଭିତରେ ଗାଈଟି ସଂପୂର୍ଣ୍ଣ ସୁସ୍ଥ ହୋଇ ଉଠିଥିଲା । ସେବେଠୁ ଦିନ ହେଉ କି ରାତି, ଖରା, ବର୍ଷା, ଅବା ଶୀତ, ସବୁ ସମୟରେ ସବୁ ସ୍ଥିତିରେ ସେ ଆଗଭର ହୋଇ ଗୋରୁଗାଈଙ୍କ ସେବା କରନ୍ତି । ସେଥିରୁ ସେ ପାଆନ୍ତି ଅଫୁରନ୍ତ ଆନନ୍ଦ ।

Pramod DasPramod Das

ଏବେ ଆରଡ଼ି ଛକ ନିକଟରେ ରହୁଥିବା ପ୍ରମୋଦଙ୍କ ପାଖକୁ ବିଭିନ୍ନ ଆଡ଼ୁ ଫୋନ୍ ଆସୁଛି । ଗୋରୁଗାଈଙ୍କୁ କଷ୍ଟରୁ ଉଦ୍ଧାର କରିବା ପାଇଁ ପଶୁ ଚିକିତ୍ସକଙ୍କ ପରାମର୍ଶ ନେଇ ଚିକିତ୍ସା ବ୍ୟବସ୍ଥା କରନ୍ତି । ଏଭିତରେ ସେ ହଜାରରୁ ଅଧିକ ଗୋରୁ ଗାଈଙ୍କ ସେବା କରିସାରିଲେଣି । ମୃତ ପଶୁଙ୍କୁ ବି ସମ୍ମାନର ସହ ସତ୍କାର କରାନ୍ତି । ପରିବାର, ଘର ସଂସାର କଥା ଭୁଲି ଗୋସେବାରେ ମାତିଥିବା ପ୍ରମୋଦଙ୍କ ଭବିଷ୍ୟତ ପାଇଁ ତାଙ୍କ ପରିବାର ଚିନ୍ତିତ ଥିଲେ ବି, ତାଙ୍କ କାର୍ଯ୍ୟ ଓ ସେ ସାଉଁଟୁଥିବା ପୁଣ୍ୟ ଓ ପ୍ରଶଂସା ପାଇଁ ଖୁବ୍ ଆନନ୍ଦିତ ।