/odishatv-khabar/media/post_attachments/uploadimage/library/16_9/16_9_0/Bridge_1690879774.jpg)
Bridge
ଗାଁ ମୁଣ୍ଡରେ ନାଳ ଅଛି । ଖରା ଦିନେ ଟିକେ ପାଣି କମେ ହେଲେ ବର୍ଷା ଦିନରେ ପ୍ରଖର ସ୍ରୋତ ରହୁଛି । ପୋଲର ଅବସ୍ଥା ଖରାପ ଥିବାରୁ ମରାମତି କରିବା ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ଗାଁ ଲୋକେ । ହେଲେ ପ୍ରଶାସନ ସେମାନଙ୍କ ଦୁଃଖ ଶୁଣିଲାନି କି ପୋଲ ନିର୍ମାଣ କଲାନାହିଁ । ତେଣୁ ଗାଁ ଲୋକମାନେ ଏକ ହେଲେ... ଧାନ, ଚାଉଳ ଟଙ୍କା ସବୁ ଏକ କଲେ, ଆଉ ଗାଁରୁ ଯାଇଥିବା କାଠ ପୋଲ ନିର୍ମାଣ କଲେ ।
କେନ୍ଦୁଝର ତେଲକୋଇ ସଲେଇକେନା ପଞ୍ଚାୟତ ଦାମଦୋରଗୋଣୀ ଗାଁର ହନୁମାନ୍ତିଆ ନାଳରେ କେବେଠୁ ତିଆରି ହୋଇଥିଲା ଅସ୍ଥାୟୀ ପୋଲ । ଖରା, ବର୍ଷା, କାକର ଖାଇ ଖାଇ କାଠ ପୋଲ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥିଲା । ସ୍ଥିତି ଏମିତି ହୋଇଥିଲା ଯେ କାଠ ପୋଲରେ ଯିବାଆସିବା କରିବାକୁ ଲୋକମାନେ ଡରୁଥିଲେ । ଫଳରେ ରୋଗୀମାନେ ମେଡିକାଲ ଯିବାକୁ ଡରୁଥିଲେ, ଛାତ୍ରଛାତ୍ରୀମାନେ ପାଠ ପଢିବାରୁ ବଞ୍ଚିତ ହେଉଥିଲେ । ସମସ୍ୟା ଏତିକିରେ ସରିନଥିଲା ବରଂ ମାଝୀ ସାହି ଓ ପଣ୍ଡାପଡା ସାହିକୁ ସଂଯୋଗ କରୁଥିବା ରାସ୍ତାର ହନୁମାନ୍ତିଆ ନାଳ ଉପରେ ୭ଟି ଗାଁର ଲୋକ ନିର୍ଭର କରୁଥିଲେ ।
ଥରେ କି ଦୁଇଥର ନୁହେଁ ବରଂ ମାସମାସ ଧରି ନୂଆ ପୋଲ ତିଆରି କରିବାକୁ ଗାଁ ଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ସମୟ ଗଡ଼ିଥିଲା ସତ କିନ୍ତୁ ପୋଲ ନିର୍ମାଣ ହୋଇପାରିନଥିଲା । ତେଣୁ ବର୍ଷାଦିନ ପୂର୍ବରୁ ଗାଁରେ କେମିତି ପୋଲ ନିର୍ମାଣ ହୋଇପାରିବ ସେନେଇ ଗାଁରେ ମିଟିଂ ବସିଥିଲା । ଯିଏ ଯେତିକି ପାରିଲା ସେତିକି ସାହାଯ୍ୟ କଲା...ଆଉ ସିମେଣ୍ଟ ପିଲର ସାହାଯ୍ୟରେ ନିଜସ୍ୱ ଉଦ୍ୟମରେ ଗାଁରେ ତିଆରି ହେଲା ପୋଲ । ଏବେ ନୂଆ ପୋଲ ତିଆରି ହେବା ପରେ ଉପରେ ଘାଏଁ ଘାଏଁ ଗାଡି ଗଡ଼ୁଛି । ପିଲାମାନେ ସ୍କୁଲ ଯାଉଛନ୍ତି, ରୋଗୀମାନେ ଡାକ୍ତରଖାନା ଯାଉଛନ୍ତି ।
ଯେଉଁଠି ନିଜ ଦାୟିତ୍ୱରୁ ପ୍ରଶାସନ ଓହରି ଗଲା, ସେଇଠି ନିଜ ଦାୟିତ୍ୱକୁ ଠିକ୍ରେ ନିର୍ବାହ କଲେ ଗାଁ ଲୋକେ । ଖାଲି ନିର୍ବାହ କଲେ ତାହା ନୁହେଁ ବରଂ ପୋଲ ନିର୍ମାଣ କରିଦେଖାଇଲେ । ଆଉ ଏବେ ସ୍ଥାନୀୟ ବାସିନ୍ଦା କହୁଛନ୍ତି, ରାଜ୍ୟରେ ଏବେ ୫-ଟି ସରକାର ଚାଲିଛି । ଦରଖାସ୍ତ ଦେଲେ କାମ ହେଉଛି । ହେଲେ ଆମେ କହିକହି ଥକି ଗଲୁ ସତ କିନ୍ତୁ କେହି ଶୁଣିଲେନି । ବାଧ୍ୟ ହୋଇ ନିଜ ଗାଁକୁ ନିଜେ ରାସ୍ତା କଲେ । ସେପଟେ ଗାଁକୁ ପୋଲଟିଏ ହୋଇପାରିନଥିବା ଘଟଣା ସମ୍ପର୍କରେ ବି. ଡି. ଓ କହିଛନ୍ତି, କିଛି ସ୍ଥାନରେ ପୋଲ ନଥିବା କଥା ନଜରକୁ ଆସିଛି । ଖୁବଶୀଘ୍ର ସ୍ଥାୟୀ ପୋଲ ନିର୍ମାଣ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)