• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖରା ଛୁଟିରେ ପିଲା ପାଠ ପଢିବେ । ବିଦ୍ୟାଳୟ ବନ୍ଦ ରହିଲେ ବି ପାଠପଢା ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ପ୍ରଥମରୁ ଦଶମ ପାଇଁ ଖୋଲିଛି ହେଲ୍ପ ଡେସ୍କ । ଶିକ୍ଷାବିଭାଗ ବି ଜାରି କରିଛି ଟୋଲ ଫ୍ରୀ ନମ୍ବର । ହେଲେ ରାଜ୍ୟରେ ଏମିତି ଅନେକ ଉପାନ୍ତ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ନେଟୱର୍କ ନାହିଁ । ଫଳରେ ଛାତ୍ରଛାତ୍ରୀମାନେ ଟୋଲ୍ ଫ୍ରୀ ନମ୍ୱରକୁ ଫୋନ୍ କରି ନିଜ ସନ୍ଦେହ ଦୂର କରି ପାରୁ ନାହାଁନ୍ତି । ଏପରିକି ଦୁର୍ଗମ ଗ୍ରାମାଞ୍ଚଳକୁ କୌଣସି ଶିକ୍ଷକ ଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ବିଶେଷ କରି କୋରାପୁଟ୍‌ ଜିଲ୍ଲାରେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଛାତ୍ରଛାତ୍ରୀ ।

ଜିଲ୍ଲାର କୋରାପୁଟ, ପଟାଙ୍ଗୀ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର ଆଦି ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ । ତେଣୁ ସେହି ଅଞ୍ଚଳକୁ ଇଂରାଜୀ, ଭୂଗୋଳ, ଇତିହାସ, ଓଡ଼ିଆ, ହିନ୍ଦୀ-ସଂସ୍କୃତ, ବିଜ୍ଞାନ ଓ ଗଣିତ ଆଦି ବିଭାଗର ଶିକ୍ଷକମାନେ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ନେଇ ବିଭାଗୀୟ ନିର୍ଦ୍ଦେଶ ରହିଛି । ପ୍ରତିଦିନ ପ୍ରାୟ ୧୦/୨୦ ଛାତ୍ରଛାତ୍ରୀ ମାନଙ୍କ ସନ୍ଦେହ ଦୂର କରିବା ଆବଶ୍ୟକ । ହେଲେ ଏହି ଦୁର୍ଗମ ଗ୍ରାମାଞ୍ଚଳକୁ କେହି ଶିକ୍ଷକ ଯାଉନଥିବା ଜଣାପଡିଛି । ଯେହେତୁ ଶିକ୍ଷକମାନେ ପିଲାଙ୍କ ପାଖରେ ପହଞ୍ଚୁନାହାନ୍ତି ତେଣୁ ପିଲାଏ ପାଠ ପଢିପାରୁନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଯଦି ଏବେ ଏବେ ପରୀକ୍ଷା ହୁଏ ତେବେ ପିଲାଏ ଭଲ ନମ୍ବର ରଖିବେ ନାହିଁ ବୋଲି ସନ୍ଦେହ ସୃଷ୍ଟି ହେଲାଣି ।

ଅନ୍ୟପଟେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀଙ୍କ କହିବାକଥା ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଠିକରେ ଚାଲିଛି । ଶିକ୍ଷକ ଯିବା ସହ ଟୋଲ ଫ୍ରୀ ନମ୍ବରରେ ବି ମନିଟରଙ୍ଗ୍ କରାଯାଉଛି । ଯେଉଁଠି ନେଟୱର୍କ ସମସ୍ୟା ଅଛି ସେଇଠି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ତେବେ ସମୟ କହିବ କେବେ ପିଲାଙ୍କ ପାଖରେ ପହଞ୍ଚୁଛନ୍ତି ଶିକ୍ଷକ ଓ କେବେ ଦୂର ହେଉଛି ପିଲାଙ୍କ ଡାଉଟ୍‌? 

 

  • Reported by:
  • Surya Narayan Panda