Advertisment

୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି, କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ।

author-image
Chandan Shishu
Infrastructure

Infrastructure

କୋଟି କୋଟି ଟଙ୍କା ଖର୍ଚ୍ଚ। ତଥାପି ସୁଧୁରି ପାରୁନି ଭିତ୍ତିଭୂମି। ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନି ନିରନ୍ତର ବିଜୁଳି ସେବା। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ,ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ ୩୦ ବର୍ଷରେ ୩୭ ହଜାର କୋଟି ଏବଂ ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଉପଭୋକ୍ତାଙ୍କ ଉପଲବ୍ଧି ଆଗରୁ ଯେମିତି ଥିଲା, ଏବେବି ସେମିତି । ଏବେବି ଲୋକେ ନିରନ୍ତର ଓ ଗୁଣାତ୍ମକ ବିଦ୍ୟୁତ ସେବାରୁ ବହୁ ଦୂରରେ।

Advertisment

ରାଜ୍ୟର କୋଣ ଅନୁକୋଣରେ ବିଦ୍ୟୁତ ଭିତ୍ତିଭୂମିର ବିକଳ ଚିତ୍ର। କେଉଁଠି ମାଟି କାମୁଡ଼ିଛି ବିଦ୍ୟୁତ ଖୁଣ୍ଟ, ତ ଆଉ କେଉଁଠି ଅପେକ୍ଷା କରିଛି ମାତ୍ର ଦଲକାଏ ପବନକୁ। କେଉଁଠି ଟ୍ରାନ୍ସଫର୍ମର ପଡ଼ି ପଡ଼ି ଖତ ଖାଉଛି, ତ ଆଉ କେଉଁଠି ମାସ ମାସ ଧରି  ବଦଳାଯାଉନି  ପୋଡ଼ା ଟ୍ରାନ୍ସଫର୍ମର। ଖୋଦ୍ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ୧୧ କେଭି ଲାଇନ୍ ଟଣାଯାଇଥିବା ଖୁଣ୍ଟର ସମାନ ଅବସ୍ଥା। ଯଦି ସହରାଞ୍ଚଳରେ ଦିନକୁ ଦଶ ଥର ବିଦ୍ୟୁତକାଟ୍ ହେଉଛି, ଗାଁ ଗହଳିରେ ଲୋକମାନେ ଯେ କିଭଳି ସ୍ଥିତିରେ ଗ୍ରୀଷ୍ମ ଓ ଗୁଳୁଗୁଳିକୁ ସହୁଛନ୍ତି, ବିଞ୍ଚଣା ହିଁ ତାର ସାକ୍ଷୀ। ନିର୍ଯାତନାଠୁ କିଛି କମ୍ ନୁହେଁ ଅଘୋଷିତ ବିଦ୍ୟୁତ କାଟର ଅସହ୍ୟ ଯନ୍ତ୍ରଣା। ଏହାର ପ୍ରତିବାଦରେ ଅନେକ ସ୍ଥାନରେ ଜନଆନ୍ଦୋଳନ ବି ମୁଣ୍ଡ ଟେକିଲାଣି।

ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ। କୁହାଗଲା ଯେ, ଘଣ୍ଟା ପ୍ରତି ୨ଶହ କିଲୋମିଟର ବେଗରେ ପବନ ବହିଲେ ବି, ବିଦ୍ୟୁତ ସରବରାହ ପାଇଁ କିଛି ବି ଫରକ ପଡ଼ିବନି। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ କହୁଛି ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ବିଗତ ୩୦ ବର୍ଷ ଭିତରେ ୩୭ ହଜାର କୋଟି ଏବଂ ଗତ ୧୦ ବର୍ଷରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୧୩ ହଜାର କୋଟି ରାଜ୍ୟ ଦେଇଥିବା ବେଳେ, ୭ ହଜାର କୋଟି ଆସିଛି କେନ୍ଦ୍ରରୁ ।

Advertisment

ଏହି ବିପୁଳ ଅର୍ଥକୁ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ଖୁଣ୍ଟ ଲଗାଇବା, ସମସ୍ତ ପୁରୁଣା ଟ୍ରାନ୍ସଫର୍ମର ବଦଳାଇବା, ପୁରୁଣା ତାର ବଦଳାଇବା ସହିତ ଭୂତଳ କେବଲିଂ ବାବଦରେ ଖର୍ଚ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ହେଲେ କୁଆଡ଼େ ଗଲା ଏସବୁ ଯୋଜନା? କେଉଁଠି ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା? ବିଭିନ୍ନ ସମୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ବରେ ଥିବା କଂପାନୀଙ୍କୁ ରାଜ୍ୟ ସରକାର ଭିତ୍ତିଭୂମି ସଜାଡ଼ିବା ବାବଦରେ ୨୦ ହଜାର କୋଟି ଟଙ୍କା ଦେଇଛନ୍ତି। ଟାଟା ପାୱାର ଏହି ଦାୟିତ୍ବ ନେବା ପରେ କଂପାନୀକୁ ପର୍ଯ୍ୟାୟ କ୍ରମେ ୫ ହଜାର କୋଟି ଟଙ୍କା ଦିଆଯାଇଛି।

ପ୍ରଶ୍ନ ଉଠୁଛି ପୂର୍ବରୁ ଭିତ୍ତିଭୂମି ବାବଦରେ ଯେଉଁ ୧୫ ହଜାର କୋଟି ଦିଆଯାଇଥିଲା ତାର ହିସାବ କେଉଁଠି? ଏଥିରେ ଭିତ୍ତିଭୂମିରେ କଣ ବିକାଶ ହୋଇଛି? ଶକ୍ତି ସମୀକ୍ଷକଙ୍କ କହିବା ଅନୁସାରେ, ଯଦି ବାସ୍ତବରେ ଏତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ଏବଂ ଏହାକୁ ସତ୍ ଉପାୟରେ ବିନିଯୋଗ କରାଯାଆନ୍ତା, ତେବେ ଉପଭୋକ୍ତା  ଉପକୃତ ହୋଇଥାନ୍ତେ। ମହାବତ୍ୟା ପରଠାରୁ ରାଜ୍ୟର ବିଦ୍ୟୁତ ଭିତ୍ତିଭୁମି ସଜାଡ଼ିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବା କହୁଛନ୍ତି। ହେଲେ ୨୩ ବର୍ଷ ଶାସନ ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ।

TATA Power
Advertisment
Advertisment