• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୁଡ଼ିଯାଇଛି ରାଜରାସ୍ତା...ଭାସୁଛି ଯାନବାହନ...ଉବୁଟୁବୁ କୋଠାବାଡ଼ି...ସ୍ୱପ୍ନ ଆଉ ସଉକ ଭିତରେ ବଞ୍ଚୁଥିବା ସହରିଆଙ୍କୁ ସତେଯେମିତି ନାଲି ଆଖି ଦେଖାଇଛି ସହରୀ ବନ୍ୟା । ସ୍ମାର୍ଟସିଟି ଭୁବନେଶ୍ୱରରେ ରହୁଥିବା ଜଣେ ମହିଳାଙ୍କ ମୁହଁରୁ ଦୁର୍ଦ୍ଦଶାର କଥା କହିଲେ ନସରେ । ଅଳ୍ପକେ ଜୀବନ ସିନା ତାଙ୍କର ବଞ୍ଚିଯାଇଛି, ହେଲେ ଲହୁଲୁହାଣ ହୋଇଛନ୍ତି ସେ । ଏ ହେଲେ ନୟାପଲ୍ଲୀରେ ରହୁଥିବା ଶିକ୍ଷୟିତ୍ରୀ ସୁଜାତା ବେହେରା । ସ୍କୁଲରୁ ଫେରିବାବେଳକୁ ତାଙ୍କ ଆପାର୍ଟମେଣ୍ଟ ଅଞ୍ଚଳରେ ଲହଡ଼ି ଭାଙ୍ଗୁଥିଲା ବର୍ଷା ଜଳ ।

ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ । ଅସଜଡା, ସଂକୀର୍ଣ୍ଣ ଏବଂ ଅସୁରକ୍ଷିତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁ ଆଇଗିଣିଆ, ନ୍ୟୁ ଫରେଷ୍ଟ, ରାଜୀବନଗର, ପଞ୍ଚସଖା ନଗର, ଲକ୍ଷ୍ମୀସାଗର ଆଦି ଇଲାକାରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା ।

ହଜାରେ ବର୍ଷର ସହର କଟକ ଅବସ୍ଥା ତ ନକହିବା ଭଲ । ଏମିତି କୌଣସି ବର୍ଷା ୠତୁ ନାହିଁ, କଟକ ଭାସିନାହିଁ । ଘରଦ୍ୱାର, ଗଳିକନ୍ଦି ଉବୁଟୁବୁ ହୋଇଛି । ଏଥର ବି ସମାନ ସ୍ଥିତି । ବାଦାମବାଡ଼ି, ମେରିଆବଜାର, ପଟ୍ଟାପୋଲ, ବାରପଥର, ଫ୍ରେଣ୍ଡସ କଲୋନୀ, ବକ୍ସିବଜାର ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା । ବାଦାମବାଡ଼ି ବସଷ୍ଟାଣ୍ଡରେ ଆଣ୍ଠୁଏ ପାଣିରେ ପଶି ହୀନସ୍ତା ହେଉଛନ୍ତି ଯାତ୍ରୀ । ଏଭଳି ସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିବାବେଳେ ଡ୍ରେନେଜ ସମସ୍ୟାର ତୁରନ୍ତ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ମେୟର ।

ବଲାଙ୍ଗିର ସହରର ଜଳବନ୍ଦୀ ଯନ୍ତ୍ରଣାରୁ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଏବଂ ତାଙ୍କ ମନ୍ଦିର ବି ବାଦ୍ ପଡ଼ିନି । ହେଲେ ଏଠି ପ୍ରଶାସନ ବଦଳରେ ତତ୍ପର ପବ୍ଳିକ । ନିଜେ ମୋଟର ଆଣି ପାଣି ନିଷ୍କାସନ କରୁଛନ୍ତି । ପ୍ରତିବର୍ଷ ବର୍ଷା ଆସିଲେ ଅବସ୍ଥା ଦେଖାଦେଇଥିଲେ ବି ନିଦାବିଷ୍ଣୁ ଦେବୋତ୍ତର ବିଭାଗ । ବଲାଙ୍ଗିର ସହରର ମୁଖ୍ୟଛକ ପାଟଣାଛକ । ଅଣ୍ଟାଏ ଉଚ୍ଚରେ ପାଣି ବହୁଛି । କେବଳ ଏହି ଗୋଟିଏ ଦୁଇଟି ନୁହେଁ। କଦମ୍ବପଡା ରେଲୱେ ଅଣ୍ଡରବ୍ରିଜ, ତାଲପାଲିପଡାରେ ଦେଖିବାକୁ ମିଳିଛି ଅତି ଅଭାବନୀୟ ଦୃଶ୍ୟ । ହଇରାଣ ହରକତ ହେଉଛନ୍ତି ସହରବାସୀ ।

ଅନୁଗୋଳ ସହରରେ ଜଳାର୍ଣ୍ଣବ ସ୍ଥିତି ନାକେଦମ୍ କରିଦେଉଛି ସହରବାସୀଙ୍କୁ । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ବର୍ଷା ପାଣି । ସହର ଦେଇ ଯାଇଥିବା ରାଜପଥରରେ ଜଳ ବହୁଥିବାରୁ ପ୍ରଭାବିତ ହୋଇଛି ଯାତାୟାତ । ସେହିପରି ଅବିଶ୍ରାନ୍ତ ବର୍ଷାରେ ବାଲେଶ୍ୱର ସହରର ଗୁଡିପଦା, ବାଲିବିଲରେ ଲୋକଙ୍କ ଘରେ ପାଣି ପଶିଛି । ଡ୍ରେନ ସଫା ନହେବାରୁ ଏଭଳି ଅବସ୍ଥା ଭୋଗୁଛନ୍ତି ଲୋକେ ।

ରାଜ୍ୟରେ ପ୍ରତିବର୍ଷର ସହରୀ ବନ୍ୟା ଏବେ ଚିନ୍ତା ବଢ଼ାଇଛି । ମହାନଗର ହେଉ କି ପୌରାଞ୍ଚଳ, ସବୁଠି ରହିଛି ଡ୍ରେନେଜ୍ ଏବଂ ସ୍ୱରେଜ୍ ସମସ୍ୟା । ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଆଜି ଏହାକୁ ନେଇ ଉଦବେଗ ବି ପ୍ରକାଶ ପାଇଛି । ଆଗକୁ ଜଳ ନିଷ୍କାସନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବା ସହ ବଢୁଥିବା ଜନସଂଖ୍ୟାକୁ ଦେଖି ଦୀର୍ଘମିଆଦି ଯୋଜନାର ଆବଶ୍ୟକତା ଉପରେ ଫୋକସ ଦିଆଯାଇଛି ।