• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଇଣ୍ଡୋର ଷ୍ଟାଡିୟମର ଦୁର୍ବଳ ଚିତ୍ର । ରାଜ୍ୟର ପ୍ରଥମ ଓ ପୁରାତନ କଟକ ଜବାହାରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ବର୍ଷାରୁ ବର୍ତ୍ତିବା ନିମନ୍ତେ ଜରିପାଲ ପକାଇଥିଲେ ଅଧିକାରୀ । ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତା ପ୍ରାପ୍ତ ଷ୍ଟାଡିୟମର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ ଏବେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମାଳ ମାଳ ସୁରକ୍ଷାକର୍ମୀ, ପୁଳା ପୁଳା ପୋଲିସ । ଭିତର ବାହାର ସବୁଠି ଚକାଚକ । ପ୍ରତିଟି ବ୍ୟବସ୍ଥାକୁ ଟିକ୍ ନିକ୍ ଯାଞ୍ଚ, ହେଲେ ଷ୍ଟାଡିୟମ ଛାତ ଉପରେ ପଡିଥିଲା ପାଲ । କେନ୍ଦ୍ର ଗୃହମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି ଥିଲା ସ୍ଥିତି । ରାଜ୍ୟର ପ୍ରଥମ ଓ ସର୍ବ ପୁରାତନ କଟକ ଜବାହାରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମ୍ ଛାତ ଉପରେ ପଡ଼ିଥିଲା ପାଲ । କାର୍ଯ୍ୟକ୍ରମ ବେଳେ ବର୍ଷାରୁ ବର୍ତ୍ତିବା ନିମନ୍ତେ ଷ୍ଟାଡିୟମର ପାଣି ଗଳୁଥିବା ଛାତରେ ପାଲ ଢାଙ୍କିଥିଲେ କର୍ତ୍ତୃପକ୍ଷ ।

କେବଳ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନୁହଁ ଅନ୍ତର୍ଜାତୀୟସ୍ତରର ଇଭେଣ୍ଟରେ ବି ଏଭଳି ପାଲ ପକାଯାଉଥିବା ଜଣାପଡିଛି । ଆଉ ଏବେ ଚିତ୍ର ସାମନାକୁ ଆସିବା ପରେ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟକୁ ସ୍ପୋର୍ଟସ ହବ୍ କରିବାକୁ ସରକାର ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଏଭଳି ଚିତ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ।

 

ବାତ୍ୟା ଫନିର ତାଣ୍ଡବ ଲୀଳା ପରେ ଷ୍ଟାଡିୟମ୍ ଛାତ ନଷ୍ଟ ହୋଇଥିଲା । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମରାମତି କରାଯାଇଥିଲା । କିନ୍ତୁ ଦିନ କେଇଟା ପରେ ଛାତରୁ ପୁଣି ପାଣି ଗଳିଲା । ସ୍ଥାୟୀ ସମାଧାନ ପରିବର୍ତ୍ତେ ତାଳିପକା ଉଦ୍ୟମ କରିବାରୁ ଏବେ ଏପରି ଅବସ୍ଥା ହୋଇଥିବା ନେଇ ଅଭିଯୋଗ ହୋଇଛି । ନିକଟରେ କମନୱେଲଥ ଟେବଲ୍ ଟେନିସ ଚାମ୍ପିୟନ୍ସିପ୍, ଏସିଆନ ବାସ୍କେଟବଲ୍ ଟୁର୍ଣାମେଣ୍ଟ ଓ ନ୍ୟାସନାଲ ବ୍ୟାଡ୍‌ମିଣ୍ଟନ ଭଳି ଅନେକ ପ୍ରତିଯୋଗିତା ଷ୍ଟାଡିୟମରେ ଖେଳାଯାଇଛି । ଏପରି ସ୍ଥିତିରେ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର କିଭଳି ମାନ ରହିବ ? ସେନେଇ ପ୍ରଶ୍ନ ବି ଉଠିଛି ।

 

ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର କ୍ରୀଡା ରାଜଧାନୀ କଟକକୁ ଅବହେଳା କରୁଥିବା ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି । ତେବେ ଏ ସଂପର୍କରେ କ୍ରୀଡ଼ା ବିଭାଗକୁ ଅବଗତ କରାଯିବା ସହ ତୁରନ୍ତ ମରାମତି ପାଇଁ ଚିଠି କରାଯିବ ବୋଲି କଟକ ମେୟର କହିଛନ୍ତି । ରାଜ୍ୟର ସର୍ବ ପୁରାତନ ଷ୍ଟାଡିୟମ୍‌ର ଏପରି ସ୍ଥିତି ନସୁଧୁରିଲେ ଏଠାରେ ଜାତୀୟ-ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା କି ବଡ଼ କାର୍ଯ୍ୟକ୍ରମ କେମିତି ହେବ, ତାହା ଚିନ୍ତାର କାରଣ ପାଲଟିଛି ।