• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶିମିଳିପାଳର ସୁରକ୍ଷା ଲାଗି ନିକଟରେ ୧୪ଟି କଷ୍ଟମାଇଜଡ୍ ଭେଇକିଲ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ହେଲେ ଶିମିଳିପାଳ ଅଭୟାରଣ୍ୟରେ ଅଧା କର୍ମଚାରୀ ପଦବୀ ଫାଙ୍କା ଥିବା ଏସବୁ ଗାଡ଼ିରେ କିଏ ଓ କେମିତି ସୁରକ୍ଷା ଯୋଗାଇବ ତା’କୁ ନେଇ ଉଠିଛି ପ୍ରଶ୍ନ । ଏପଟେ ୨ ହଜାର ୭୫୦ ବର୍ଗକିଲୋମିଟର ଶିମିଳିପାଳକୁ ସୁରକ୍ଷା ଯୋଗାଇବା ପାଇଁ ଆହୁରି ଗାଡ଼ିର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ । ସେହିପରି ୮୧ ଫରେଷ୍ଟ ଗାର୍ଡ ପଦବୀରୁ ମାତ୍ର ୩୦ଟି ପୂରଣ ହୋଇ ୫୧ଟି ଫାଙ୍କା ପଡ଼ିଛି । ସମାନ ଅବସ୍ଥା ଦକ୍ଷିଣ ଶିମିଳିପାଳ ଡିଭିଜନର । ଏଠାରେ ୧୨ ଫରେଷ୍ଟର ପଦବି ଓ ୪୩ ଫରେଷ୍ଟ ଗାର୍ଡ ପଦବି ଫାଙ୍କା । ଏମିତି ସ୍ଥିତିରେ କେବଳ ଗାଡ଼ି ଯୋଗାଇଦେଲେ, କେମିତି ହେବ ଶିମିଳିପାଳର ସୁରକ୍ଷା ?

ଗତ ୨୯ ତାରିଖରେ ଶିମିଳିପାଳ ସୁରକ୍ଷାରେ ରାଜ୍ୟ ସରକାର ୧୪ଟି କଷ୍ଟମାଇଜଡ୍ ଭେଇକିଲ୍ ନିୟୋଜିତ କରିବା ପରେ ଏମିତି ପ୍ରଶ୍ନ କରିଛି ରାଜ୍ୟ ଫରେଷ୍ଟ ଗାର୍ଡ ସଂଘ । ଅଭିଯୋଗ କରିଛି, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଅସ୍ତ୍ରଶସ୍ତ୍ର ବି ଯୋଗାଇ ଦିଆଯାଇନି । ତେଣୁ ଏସବୁ ନୂଆ ଗାଡ଼ିରେ କିଏ ବସିବେ ଓ କେମିତି ଶିମିଳିପାଳକୁ ସୁରକ୍ଷା ଯୋଗାଯିବ ବୋଲି ପ୍ରଶ୍ନ କରିଛି ସଂଘ ।

୨ ହଜାର ୭୫୦ ବର୍ଗକିଲୋମିଟର ବିଶିଷ୍ଟ ଶିମିଳିପାଳରେ ୧୨ଟି ରେଞ୍ଜ, ୨୧୪ଟି ଆଣ୍ଟି ପୋଚିଙ୍ଗ୍ କ୍ୟାମ୍ପ, ୧୬ଟି ୱାଚ୍ ଟାୱାର ଓ ୧୯ଟି ଚେକ୍ ପଏଣ୍ଟ ରହିଛି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି, ପ୍ରତି ରେଞ୍ଜ ପାଇଁ ଅତିକମରେ ୨ଟି ଗାଡ଼ି ଦରକାର । ତେଣୁ ଖୁବଶୀଘ୍ର ଶିମିଳିପାଳକୁ ଆଉ ୧୦ଟି ଗାଡ଼ି ଦରକାର ପଡ଼ିବ । ଏପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ଶିମିଳିପାଳରେ ପୂର୍ବରୁ ନିୟୋଜିତ ଗାଡ଼ିର ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନି । ତେଣୁ ଅନେକ ଗାଡ଼ି ସେବାରେ ଲାଗିପାରୁନି । ଏହାଛଡ଼ା ଶିମିଳିପାଳ ପାଇଁ ଚାଲି ଚାଲି ପାଟ୍ରୋଲିଂ ସବୁଠୁ ଭରସାଯୋଗ୍ୟ ।

କିଏ ଯୋଗାଇବ ଶିମିଳିପାଳକୁ ସୁରକ୍ଷା ? ରାଜ୍ୟ ସରକାର ଯୋଗାଇଲେ ୧୪ କଷ୍ଟମାଇଜଡ୍ ଭେଇକିଲ । ହେଲେ ସେପଟେ ଖାଲି ପଡ଼ିଛି ଅଧାରୁ ଅଧିକ କର୍ମଚାରୀ ପଦ । ପାଦ ଚଲା ପାଟ୍ରୋଲିଂ ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପରାମର୍ଶ ।