• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆବାସ ଯୋଜନାରେ ଦୁର୍ନୀତି

  • ଥିଲା ବାଲାକୁ ହଁ, ନଥିଲା ବାଲାଙ୍କୁ ନାଁ

ଯାଜପୁର(ଗୁଲାମ ଗସ୍‌): କଚ୍ଚା ଓ ଚାଳ ଛପର ଘରେ ରହୁଥିବା ଗରିବ ହିତାଧିକାରୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଇଛନ୍ତି । ଏନେଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଅଗ୍ରାଧିକାର ଭିତିରେ ଆବାସ ଯୋଜନାରେ ସାମିଲ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଛି । କିନ୍ତୁ ରାଜନୈତିକ ଆକ୍ରୋଶ ରଖି ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରୁ ବଂଚିତ କରାଯାଉଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତରୁ ।

ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ ମିଳୁ ନଥିବା ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି । ଚଂଚକତା କରାଯାଇ ଅଯୋଗ୍ୟଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଯୋଗ୍ୟ ବ୍ୟକ୍ତିଙ୍କୁ ଏଥିରୁ ବାଦ୍ ଦିଆଯାଉଛି । ପ୍ରଭାବଶୀଳ ଧନୀ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସହିତ ପାଇଖାନା, ମୋ ଗୁହାଳ ଆଦି ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରାଯାଉଥିବା ବେଳେ ଗରିବ ଲୋକଙ୍କୁ ଏହି ଯୋଜନାର ଲାଭ ମିଳୁନଥିବା ସେମାନେ ଅଭିଯୋଗ କରୁଛନ୍ତି । ଆଉ ଯାହା ଫଳରେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇ ବଡ଼ କଷ୍ଟରେ ଦିନ କାଟୁଛନ୍ତି।

ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମ ସମେତ ରାଧାଦେଇପୁର, ଶଙ୍ଖ, ଢିହନରସିଂହପୁର ଆଦି ଗ୍ରାମର ବହୁ ଯୋଗ୍ୟ ହିତାଧିକାରୀ ଏବେ ବି ଘର ଖଣ୍ଡେ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଏନେଇ ସେମାନେ ବାରମ୍ବାର ସ୍ଥାନୀୟ ସରପଂଚ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଘର ଖଣ୍ଡେ ମିଳିବା ବଦଳରେ କେବଳ ମିଳୁଛି ପ୍ରତିଶ୍ରୁତିର ଲମ୍ବା ଡ଼ୋର। ତେବେ ଏହାର ପ୍ରତିବାଦରେ ଏହି ସବୁ ଗ୍ରାମର ଅନେକ ଯୋଗ୍ୟ ହିତାଧିକାରୀ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗର ତଦନ୍ତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ତେବେ ଅନେକ ଦିନ ଧରି ଘର ଖଣ୍ଡେ ପାଇବାକୁ ଅପେକ୍ଷା କରିଥିବା ହିତାଧିକାରୀମାନଙ୍କୁ କେବେ ସରକାରୀ ଯୋଜନାରେ ସାମିଲ କରାଯିବ ତାକୁ ଦେଖିବାକୁ ଅପେକ୍ଷା ।