• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆଜି ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି। ୧୧ଟି ରାଜ୍ୟ ଦେଇ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯିବ।ଏହି ଅବସରରେ ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି। 

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ।’

‘ବନ୍ଦେ ଭାରତ ପହଞ୍ଚୁଥିବା ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ରୋଜଗାର ମଧ୍ୟ ବଢୁଛି। ରେଲ୍‌ୱେ ଗରିବ ଓ ମଧ୍ୟବିତ୍ତଙ୍କ ଭରସାଯୋଗ୍ୟ ସହଯାତ୍ରୀ। ପୂର୍ବ ସରକାର ଏହାକୁ ଧ୍ୟାନ ଦେଇ ନଥିଲେ, ଆମେ କାୟା ବଦଳାଇଲୁ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। 

ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଯୋଗୁ ପୁରୀ ଓ ରାଉରକେଲା ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ। ଫଳରେ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ।

ଏହି ଟ୍ରେନ୍ ଶନିବାରକୁ ଛାଡିଦେଲେ ସପ୍ତାହରେ ବାକି ୬ ଦିନ ଚାଲିବ। ଏହା ପ୍ରତ୍ୟହ ପୁରୀରୁ ସକାଳ ୫ଟାରେ ଛାଡ଼ି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ। ପରେ ରାଉରକେଲାରୁ ୨ଟା ୧୦ରୁ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ସେମି ହାଇସ୍ପିଡ୍ ଅତ୍ୟାଧୁନିକ ଟ୍ରେନ୍ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍ ରନ୍ ସରିଛି।

OTV is now on Whatsapp

Join and get latest news update delivered to you via whatsapp

Join Now